ଓଡ଼ିଶାରେ କ୍ୟାଡେଟ୍‍ ସଂଖ୍ୟା ୬୦ ହଜାରରୁ ୯୦ ହଜାରକୁ ବୃଦ୍ଧି ପାଇବ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଏନସିସି ମହାନିର୍ଦ୍ଦେଶକ

Published By : Prameya-News7 Bureau | February 10, 2025 IST

ଭୁବନେଶ୍ୱର: ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ମଧ୍ୟରେ ଓଡ଼ିଶାରେ ସମ୍ପ୍ରସାରଣ ଉପରେ ଆଲୋଚନା କରିଛନ୍ତି। ଯେଉଁଥିରେ ଓଡ଼ିଶାର ଏନସିସିର କ୍ୟାଡେଟ୍‍ ସଂଖ୍ୟା ବୃଦ୍ଧି କରାଯିବା ଉପରେ ଆଲୋଚନା ହୋଇଛି।

ବର୍ତ୍ତମାନ ଓଡ଼ିଶାରେ ଏନସିସି କ୍ୟାଡେଟ ସଂଖ୍ୟା ୬୦ ହଜାର ରହିଛି। ଯାହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନସିସି ଶାଖା ପ୍ରତିଷ୍ଠା କରାଯିବ। ଆହୁରି ମଧ୍ୟ ରାଜ୍ୟରେ ଏନସିସି ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ତିନୋଟି ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା କରାଯିବ। କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ ।

ଏହା ସହିତ କୋରାପୁଟରେ ଏନସିସିର ଗ୍ରୁପ୍‍ ହେଡ୍‌କ୍ବାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ । ଝାରସୁଗୁଡ଼ା ଏୟାରପୋର୍ଟରେ ଏନସିସି ପିଲାମାନଙ୍କୁ ବିମାନ ଉଡାଣ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି । ଏଥିପାଇଁ ସେଠାରେ ଏକ ହ୍ୟାଙ୍ଗର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏନସିସି ହେଉଛି ଦେଶର ଏକ ପ୍ରତିଷ୍ଠିତ ସଂସ୍ଥା। ଛାତ୍ର ଓ ଯୁବଶକ୍ତିର ସମ୍ଭାବନାକୁ ବିକଶିତ କରି ଦେଶର ସେବାରେ ନିୟୋଜିତ କରିବା କ୍ଷେତ୍ରରେ ଏହାର ତୁଳନା ନାହିଁ। ତେଣୁ ଓଡ଼ିଶାରେ ଏହି ସଂସ୍ଥାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । 

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ଏନ୍‍.ସି.ସି.ର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏଥିପାଇଁ ଏନ୍‍.ସି.ସି. ପକ୍ଷରୁ ଡାଇରେକ୍ଟର କର୍ଣ୍ଣେଲ ସାଗର ମହାନ୍ତି ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏନସିସି ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ନିଷ୍ପତ୍ତି ଗୁଡ଼ିକର ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥିର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.