ଦିଲ୍ଲୀକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ଚେହେରା, ମହିଳାଙ୍କ ହାତରେ ନ୍ୟସ୍ତ କରାଯାଇପାରେ ଦାୟିତ୍ୱ! ଜାଣନ୍ତୁ ଦୌଡରେ ଅଛନ୍ତି କିଏ ?

Published By : Prameya-News7 Bureau | February 10, 2025 IST

ନୂଆଦିଲ୍ଲୀ ୧୦।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ସରକାର ଗଢିବା ପାଇଁ ଜନାଦେଶ ମିଳିଛି। ତେବେ ପାର୍ଟି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଧାନସଭା ନିର୍ବାଚନ ଲଢିଥିଲା। ଏଣୁ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ। ଏହାକୁ ନେଇ ବିଜେପିରେ ଲଗାତାର ମନ୍ଥନ ଚାଲିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକଙ୍କ ନାମ ଏବେ ଚର୍ଚ୍ଚା ହେଉଛି। ଏମାନଙ୍କ ମଧ୍ୟରେ ପ୍ରବେଶ ବର୍ମା, ବିଜେନ୍ଦ୍ର ଗୁପ୍ତା ଓ ସତୀଶ ଉପାଧ୍ୟାୟଙ୍କ ନାମ ଆଗରେ ଚାଲୁଛି। 

ସୂତ୍ରଙ୍କ ଅନୁସାରେ ଏଥର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ମହିଳାଙ୍କୁ ବି ସୁଯୋଗ ଦିଆଯିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁସାରେ ଏଥର ବିଜେପି ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇ କୌଣସି ମହିଳା ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ। ଏହା ଛଡା ମନ୍ତ୍ରୀମଣ୍ଡଳରେ ମହିଳା ଓ ଦଳିତଙ୍କ ଭାଗିଦାରୀ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇପାରେ। ଦିଲ୍ଲୀ ନିର୍ବାଚନରେ ଏଥର ବିଜେପିରୁ ୪ ଜଣ ମହିଳା ବିଧାୟକ ନିର୍ବାଚିତ ହୋଇଛନ୍ତି। 

ଏଥିରେ ସାଲିମାର ବାଗରୁ ରେଖା ଗୁପ୍ତା ନିର୍ବାଚିତ ହୋଇଥିବା ବେଳେ ଗ୍ରେଟର କୈଳାଶରୁ ଶିଖା ରାୟ, ବଜିର ପୁରରୁ ପୁନମ ଶର୍ମା ଓ ନଜଫଗଡ଼ରୁ ନିଲମ ପହଲବାନ ବିଜୟୀ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କୌଣସି ଜଣେ ମହିଳା ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ। ରିପୋର୍ଟ ଅନୁସାରେ ବିଜେପି ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ଦେଇପାରେ। ଏହା ଛଡା ନୂଆ ସରକାରରେ ଦଳିତ ଓ ମହିଳାଙ୍କୁ ଅଧିକ ପ୍ରତିନିଧିତ୍ୱ ଦେବା ପାଇଁ ମଧ୍ୟ ବିଚାର କରାଯାଉଛି। 

ଦିଲ୍ଲୀରେ ସରକାର ଗଠନ ପାଇଁ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ବିଜେପି ସରକାର ଗଢିବାର ଦାବି ଉପସ୍ଥାପନ କରିପାରେ। ଏହା ପରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏବେ ଦେଖିବାକୁ ରହିଲା ବିଜେପି ଦିଲ୍ଲୀର ଦାୟିତ୍ୱ କାହାକୁ ନ୍ୟସ୍ତ କରିବ। ଦିଲ୍ଲୀକୁ ମହିଳା ମୁଖ୍ୟମନ୍ତ୍ରୀ ମିଳିବେ କି ନାହିଁ? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.