ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ମାଘମେଳା, ବିଶ୍ୱ କଲ୍ୟାଣ ପାଇଁ ସନ୍ଧ୍ୟାରେ ଜଳିବ ଝାଡଦୀପ

Published By : Prameya-News7 Bureau | February 11, 2025 IST

ଢେଙ୍କାନାଳ ୧୦/୦୨: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବିଶ୍ୱପ୍ରସିଦ୍ଧ ମାଘମେଳା ମଙ୍ଗଳବାରଠୁ ଆରମ୍ଭ ହେବ । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିବେ । ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। 

ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିବେ । ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ମଧ୍ୟ ଝାଡ଼ବତୀ ପ୍ରଜ୍ଜ୍ୱଳନ ପାଇଁ ବୃହତ ଝାଡ଼, ମହଣ ମହଣ ଘିଅ ପ୍ରସ୍ତୁତି ହୋଇ ରହିଛି । 

ମଙ୍ଗଳବାର ଚତୁର୍ଦ୍ଦଶୀ, ବୁଧବାର ମାଘ ପୂର୍ଣ୍ଣିମା ଦୁଇ ଦିନ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ଝାଡ଼ ଜଳିବ । ପୂର୍ଣ୍ଣମୀ ପରଦିନ ଗୁରୁବାର ସ୍ଥାନୀୟ ଅଞ୍ଚଳର ଭକ୍ତ ମାନଙ୍କ ଅନୁରୋଧରେ କେବଳ ଗାଦି ମନ୍ଦିର ପଶ୍ଚିମ ଦ୍ୱାରରେ ଝାଡ଼ ଜଳିବ ବୋଲି ସୂଚନା ଦିଆଯାଇଛି । ବକ୍କଳଧାର ଓ ପୀନଧାରୀ ମହିମା ସମାଜର ଜରୁରୀ ପରିଚାଳନା ବୈଠକ ବସି ନୀତି ଚୂଡ଼ାନ୍ତ କରାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ୨୦ ହଜାରରୁ ଅଧିକ ସାଧୁ, ସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି । 

ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ ପସରା ମେଲାଇଛନ୍ତି । ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ମେଳା ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଗଁଦିଆ ବିଡିଓ ପବିତ୍ର କୁମାର ବେହେରା, ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ମେଳାର ସମ୍ପର୍କରେ ବୁଲି ଦେଖିଛନ୍ତି ।

also read....

ଥମିବ ଶୀତ, ବଢିବ ପାରଦ : ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.