ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନାଙ୍କ ଶୋ’ India’s Got Latentକୁ ନେଇ ବିବାଦ ଥମିବାର ନାଁ ଧରୁ ନାହିଁ । ନିକଟରେ ଏହି ଶୋ’ର ନୂଆ ଏପିସୋଡ୍ ରିଲିଜ୍ ହୋଇଥିଲା, ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ଏପିସୋଡ୍ରେ ରଣବୀର ଅଲାହାବାଦିଆ ଏପରି କିଛି ବୟାନ ଦେଇଥିଲେ, ଯାହା ଅତି ଅଶ୍ଳୀଳ ଥିଲା ଏବଂ ସଭ୍ୟ ସମାଜରେ କେହି ବି ଏହା ଚିନ୍ତା କରିପାରିବେ ନାହିଁ । ରଣବୀର ଏବଂ ଶୋ’ ପୂରା ଟିମ୍ ବିରୋଧରେ ଦିଲ୍ଲୀ ଏବଂ ମୁମ୍ୱାଇରେ ମାମଲାର ରୁଜୁ କରାଯାଇଛି । ଆସାମରେ ବି ଏହି ଟିମ୍ ବିରୋଧରେ ମାମଲା ରୁଜୁ କରାଯାଇଥିବା ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇସାରିଛନ୍ତି । ବିବାଦ ବଢୁଥିବା ଦେଖି ଏପିସୋଡକୁ ଏବେ ୟୁଟ୍ୟୁବରୁ ହଟାଇ ଦିଆଯାଇଛି ।
India’s Got Latentର ବିବାଦୀୟ ଏପିସୋଡକୁ ଏବେ ୟୁଟ୍ୟୁବରୁ ହଟାଇ ଦିଆଯାଇଛି । ସରକାରୀ ହସ୍ତକ୍ଷେପ ଏହଂ ଆଇନଗତ ଅଭିଯୋଗ ପରେ ସମୟ ରୈନାଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା, ରଣବୀର ଆଲାହାବାଦିଆ, ଆଶୀଷ ଚଞ୍ଚଲାନୀ, ଜଶପ୍ରୀତ ସିଂହ, ଏବଂ ଅପୂର୍ବ ଅଖିଜା ବିବାଦୀୟ ଭିଡିଓକୁ ହଟାଇ ଦିଆଯାଇଛି । ଜାତୀୟ ମାନବାଧିକାର ଆୟୋଗ ଭିଡିଓକୁ ହଟାଇବା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । ଏହାସହ ତିନି ଦିନ ଭିତରେ ଜବାବ ଦେବା ପାଇଁ କହିଥିଲେ ।
ଏହି ଏପିସୋଡକୁ ଆଇଟି ଅଧିନିୟମ, ୨୦୦୮ର ଧାରା ୬୯ଏ ଅଧିନରେ ହଟାଇ ଦିଆଯାଇଛି । ଯାହା ସରକାରଙ୍କୁ ଭାରତର ସାର୍ବଭୌମତ୍ୱ, ରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ହିତରେ ଅନ୍ଲାଇନ୍ ସାମଗ୍ରୀକୁ ବ୍ୟାନ୍ କରିବାର ଅଧିକାର ଦେଉଛି ।
ମାମଲା ରୁଜୁ ହେବା ପରେ ଏହି ବାବାଦୀୟ ଘଟଣାରେ ମୁମ୍ୱାଇ ପୋଲିସ ସମୟ ରୈନା ଏବଂ ରଣବୀର ଅଲାହାବାଦିଆଙ୍କୁ ସମନ କରିଛି । ତଦନ୍ତକାରୀ ଅଧିକାରୀଙ୍କ ସାମନାରେ ଉପସ୍ଥିତି ରହି ଯାଞ୍ଚରେ ସହଯୋଗ କରିବା ସହ ନିଜର ପକ୍ଷ ରଖିବାକୁ କୁହାଯାଇଛି । ବର୍ସୋଭା ପୋଲିସର ଏକ ଟିମ୍ ରଣବୀର ଅଲାହାବାଦିଆଙ୍କ ଘରେ ପହଞ୍ଚିଛି । ପୋଲିସ ତାଙ୍କ ବୟାନକୁ ନେଇ ପଚରାଉଚରା କରିପାରେ । ଶୋ’ ବେଳେ ଦିଆଯାଇଥିବା ବିବାଦୀୟ ଟିପ୍ପଣୀ ଯୋଗୁ ଲୋକଙ୍କ ରାଗ ବଢିବାରେ ଲାଗିଛି । ଲୋକଙ୍କ ଆକ୍ରୋଶ ବଢିବା ଦେଖି ରଣବୀର ଆଲାହାବାଦିଆ ସୋସିଆଲ୍ ମିଡିଆ ପୋଷ୍ଟରେ ସେୟାର କରି ନିଜ କମେଣ୍ଟ ପାଇଁ କ୍ଷମା ମାଗିସାରିଛନ୍ତି ।