ପାଟଣା: ବିହାର ମୁଙ୍ଗେରରେ ଚାଞ୍ଚଲ୍ୟକର ଘଟଣା । ବିବାଦ ତୁଟାଇବାକୁ ଯାଇଥିବା ଏଏସଆଇଙ୍କୁ ହତ୍ୟା ଅଭିଯୋଗ । ନନ୍ଦଲାଲପୁରା ଅଞ୍ଚଳରେ ଏଏସଆଇ ସନ୍ତୋଷ କୁମାରଙ୍କୁ ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦକୁ ରଫାଦଫା କରିବାକୁ ପୋଲିସ୍ ଟିମ୍ ସହିତ ଏଏସଆଇ ଗାଁରେ ପହଞ୍ଚିଥିଲେ । ପୋଲିସ ଲୋକଙ୍କୁ ବୁଝାସୁଝା କରିଥିଲା । ମାତ୍ର ବିବାଦ କମିବା ବଦଳରେ ବଢ଼ିବାକୁ ଲାଗିଥିଲା । ଚାହୁଁ ଚାହୁଁ ଉତ୍ତେଜନା ଭୟଙ୍କର ରୂପ ଧାରଣ କରିଥିଲା । ଏହି ସମୟରେ ଏକ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଏଏସଆଇଙ୍କ ଉପରକୁ ହମଲା କରିଥିଲେ । ଏଥିରେ ସନ୍ତୋଷ କୁମାର ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ପଟଣା ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ମୃତ ଏଏସଆଇ ସନ୍ତୋଷ କୁମାର ହେଉଛନ୍ତି ଭଭୁଆର ବାସିନ୍ଦା । ସେ ଶୁକ୍ରବାର ଜରୁରୀକାଳୀନ ସେନା ୧୧୨ ଡ୍ୟୁଟିରେ ଥିଲେ । ସଂଧ୍ୟା ପ୍ରାୟ ୭.୪୫ ମିନିଟରେ ଏକ ଫୋନ୍ କଲ୍ ଆସିଥିଲା । ଆଇଟିସି ନନ୍ଦଲାଲପୁର ନିକଟରେ ଦୁଇ ପରିବାର ଝଗଡ଼ା ଲାଗିଛନ୍ତି । ସୂଚନା ମିଳିବା ପରେ ଏଏସଆଇ ସନ୍ତୋଷ କୁମାର ପୋଲିସ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଝଗଡ଼ା କରୁଥିବା ଦୁଇ ପକ୍ଷଙ୍କୁ ବୁଝାସୁଝା କରିଥିଲେ । ମାତ୍ର ଗୋଟିଏ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଏଏସଆଇଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ । ସନ୍ତୋଷ କୁମାରଙ୍କୁ ତୁରନ୍ତ ପଟଣା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ସେହିପରି ଦୁଇ ଦିନ ପୂର୍ବରୁ ବିହାର ଆରରିଆରେ ମଧ୍ୟ ସମାନ ଘଟଣା ଘଟିଥିଲା । ସେଠାରେ ଜଣେ ଏଏସଆଇଙ୍କୁ ହମଲା କରାଯାଇଥିଲା । ଘଟଣାସ୍ଥଳରେ ଏଏସଆଇ ରାଜୀବ କୁମାରଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି । ବିହାର ଆରରିଆ ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁରେ ଏହି ଘଟଣା ଘଟିଛି । ତେବେ ଦୁଇ ଦିନରେ ୨ଜଣ ଏଏସଆଇଙ୍କୁ ହତ୍ୟା ନେଇ ପୁରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି ।..