ଶୋକରେ ବଦଳିଲା ହୋଲିର ଉତ୍ସାହ, ନଦୀକୁ ଗାଧୋଇ ଯାଇ ବୁଡିଗଲେ ୪ ଛାତ୍ର

Published By : Prameya-News7 Bureau | March 14, 2025 IST

ଠାଣେ ୧୪।୩: ରଙ୍ଗର ପର୍ବ ହୋଲି ମହାରାଷ୍ଟ୍ର ଠାଣେ ଜିଲ୍ଲା ବାଦଲପୁରରେ ଶୁକ୍ରବାର ଫିକା ହୋଇଯାଇଛି। ରଙ୍ଗ ଖେଳି ସାରି ନିକଟସ୍ଥ ଉଲ୍ଲାସ ନଦୀକୁ ଗାଧୋଇ ଯାଇଥିବା ୧୦ମ ଶ୍ରେଣୀର ୪ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କୁ ପୋଲିସ ଆର୍ୟନ ମେଦାର (୧୫), ଓମ ସିଂହ ତୋମର (୧୫), ସିଦ୍ଧାର୍ଥ ସିଂହ (୧୬) ଓ ଆର୍ୟନ ସିଂହ (୧୬) ଭାବେ ଚିହ୍ନଟ କରାଯାଇଛି। ସେମାନେ ବାଦଲପୁରର ଚମଟୋଲୀ ଅଞ୍ଚଳର ପାଣ୍ଡୁର ହାଉସିଂ କମ୍ପ୍ଲେକ୍ସର ଥିଲେ। 

ହୋଲି ଖେଳି ସାରିବା ପରେ ସେମାନେ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ନଦୀର ଗଭୀରତା ଆକଳନ କରି ନପାରି ଗଭୀର ଜଳରେ ବୁଡି ଯାଇଥିଲେ। ଅଧିକାରୀଙ୍କ ଅନୁସାରେ ୪ଜଣ ଛାତ୍ରଙ୍କ ଶବ ଉଦ୍ଧାର ହୋଇଛି। ପୋଲିସ ଶବଗୁଡିକୁ ପୋଷ୍ଟମର୍ଟମ ଲାଗି ବାଦଲପୁର ଗ୍ରାମୀଣ ହସ୍ପିଟାଲକୁ ପଠାଇ ଦେଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଲହରି ଖେଳି ଯାଇଛି। ପୋଲିସ ଏ ନେଇ ମକଦ୍ଦମା ରୁଜୁ କରିଥିବା ବେଳେ ମାମଲରା ତଦନ୍ତ ଆରମ୍ଭ ହୋଇଛି। 


ପିଲାମାନେ ନଦୀରେ କିପରି ବୁଡିଗଲେ ସେ ନେଇ ପୋଲିସ ତଦନ୍ତ କରୁଛି। ଏହି ଘଟଣା ସେହି ପରିବାରଙ୍କ ନିମନ୍ତେ ଅତ୍ୟନ୍ତ ବେଦନା ଦାୟକ ଯେଉଁମାନଙ୍କ ପିଲା ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ହୋଲି ଉତ୍ସବ ଦେଶରେ ଏକ ଖୁସିର ଅବସର। ତେବେ ଏହି ଛାତ୍ରମାନଙ୍କ ପରିଜନଙ୍କ ନିମନ୍ତେ ହୋଲି ଲୁହରେ ଭାସିଛି। ସ୍ଥାନୀୟ ଲୋକେ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଏହି ଘଟଣା ନଦୀ କୂଳର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖାସ କରି ସେତେବେଳେ ଯେବେ ଲୋକେ ଉତ୍ସବ ଅବସରରେ ନଦୀ, ପୋଖରୀକୁ ଯାଆନ୍ତି।  

ସେହିପରି ମହାରାଷ୍ଟ୍ର ପୁଣେ ଜିଲ୍ଲା କିହ୍ନାଇ ଗ୍ରାମର ୩ ଜଣ ଯୁବକ ଇନ୍ଦ୍ରାୟଣୀ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣା ପଡିଛି। ହୋଲି ଖେଳ ଶେଷ କରି ନଦୀକୁ ଗାଧୋଇ ଯାଇଥିବା ବେଳେ ଯୁବକମାନେ ବୁଡ଼ି ଯାଇଥିବା କୁହାଯାଇଛି। ମୃତ ୩ ଯୁବକଙ୍କ ଶବ ଉଦ୍ଧାର ପରେ ୟଶବନ୍ତ ରାଓ ଚୌହାନ ମେମୋରିଆଲ ହସ୍ପିଟାଲକୁ ପରବର୍ତ୍ତୀ ପ୍ରକ୍ରିୟା ନିମନ୍ତେ ପଠାଇ ଦିଆଯାଇଛି। ଏହି ମାମଲାରେ ପିମ୍ପରୀ ଚିଞ୍ଚୱାଡ ପୋଲିସ ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.