ଲକ୍ଷ୍ମୀପୁର ୧୧।୦୨ : ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ଏହି ଅଭିଯୋଗ ପରେ ପୋଲିସ ଚାରି ଜଣ ଯୁବକଙ୍କୁ ଅଟକ ରଖି ଜେରା କରୁଥିବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ଓଡିଆପେଣ୍ଠ ପଞ୍ଚାୟତର ଏକ ଗାଁରେ ମାଆଙ୍କ ଯାତ୍ରା ଚାଲୁଛି । ଏହି ଅବସରରେ ଗାଁରେ ନାଟକ ମଞ୍ଚସ୍ଥ କରାଯାଇଥିଲା । ତେବେ ନାଟକ ଦେଖିବାକୁ ଆଖପାଖ ଗାଁର ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ବିଳମ୍ବିତ ରାତିରେ ନିଜ ସାଙ୍ଗଙ୍କ ସହ ନାଟକ ଦେଖିବାକୁ ଯାଇଥିଲା ନାବାଳିକା । ଏହି ସମୟରେ ଚାରି ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ପାଖରେ ଥିବା ପାହାଡ଼ ନିକଟରେ ଗଣଦୁଷ୍କର୍ମ କରିଥିଲେ । ଯାହାର ଅଭିଯୋଗ ନାବାଳିକା ଜଣଙ୍କ ଥାନାରେ କରିଛନ୍ତି । ଏହାପରେ ପୋଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତେବେ ମଙ୍ଗଳବାର ଦିନ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯିବ । ଏହାପରେ ପୋଲିସ ପକ୍ଷରୁ ତଦନ୍ତକୁ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।