ରାଉରକେଲା: ଧଳା ଜହର ଅର୍ଥାତ ବ୍ରାଉନ ସୁଗାର । ବେପାରର ହବ ରାଉରକେଲା ସହରର ମୀନାପଡ଼ା । ଏହିଠାରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଧଳା ଜହର ଚାଲାଣ ହେଉଛି । ଶୁକ୍ରବାର ଭୋରରୁ ମୀନାପଡ଼ା ଉପରେ ହୋଇଥିଲା ବଡ଼ ଧରଣର ଅପରେସନ । ଚଢ଼ାଉ ସମୟରେ ଜବତ ହୋଇଛି ୧୧୪ ପ୍ୟାକେଟ ଧଳା ଜହର । ଯାହାର ମୁଲ୍ୟ ପାଖାପାଖି ୫୦ଲକ୍ଷଟଙ୍କା ହେବ । ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ତିନି ମହିଳା ଅଛନ୍ତି । ହେଲେ ପୋଲିସର ହାତ ଠାରୁ ବହୁ ଦୁରରେ ମୀନାପଡ଼ାର ମୀନା ।
ନାଁଟା ତାର ମୀନା । ମୀନା ନାଁରେ ବସ୍ତିର ନାଁ ମୀନାପଡ଼ା । ରାଉରକେଲାର ସହରର ନିଶାଡ଼ିଙ୍କ ଠିକଣା। ବ୍ରାଉନ ସୁଗାର ବେପାରର ମାଷ୍ଟର ମାଇଣ୍ଡ ହେଉଛି ମୀନା । ମୀନାର ନେଟୱର୍କ କେବଳ ସୁନ୍ଦରଗଡ଼ରେ ସୀମିତ ନୁହେଁ, ଝାଡ଼ଖଣ୍ଡ , ଛତିଶଗଡ଼, ଝାରସୁଗୁଡ଼ା ଯାଏଁ ଲମ୍ବିଛି। ଆଉ ଆଜି ମୀନାପଡ଼ାରେ ପଶିଥିଲା ପୋଲିସ। ପକ୍କା ଖବର ଥିଲା। ଇନା-ମୀନା-ଡିକା ସମସ୍ତଙ୍କୁ ଖୋଜିଥିଲା। ୪ ଜଣଙ୍କୁ ଧରିଥିଲା। ଜବତ ହୋଇଛି ଛୋଟ ଛୋଟ ୧୧୪ ପ୍ୟାକେଟ ବ୍ରାଉନ ସୁଗାର । ପ୍ରତ୍ୟେକ ପ୍ୟାକେଟରେ ଅଛି ୪ରୁ ୬ଗ୍ରାମ ବ୍ରାଉନ ସୁଗାର । ହିସାବ ଅନୁସାର ୩୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ସହ ନଗଦ ୭୭ ହଜାର ଟଙ୍କା ଦୁଇ ମୋବାଇଲ ସହ ୪୮ କିଲୋ ଗଂଜେଇ ହୋଇଛି। ସବୁ ମିଶାଇଲେ ୫୦ ଲକ୍ଷ ଟଙ୍କା ହେବ ।
ଚଢ଼ାଉରେ ସାମିଲ ଥିଲେ ୬ ପ୍ଳାଟୁନ ଫୋର୍ସ , ୧୦ ପୋଲିସ ଇନ୍ସପେକ୍ଟର , ନାଇ୍କୋଟିକ୍ ଅଫିସର , ଦୁଇ ଆଡ଼ିସିନାଲ ଏସପି , ୬ ଡ଼ିଏସ୍ପିଙ୍କ ସହ ସନ୍ଧାନୀ କୁକୁର ଗିରଫ ମାନେ ହେଲେ (୧) ନେହା ପରବିନ୍ (୨) ରେଶମା ଖାତୁନ (୩) ସୁଲତାନା ଖାତୁନ (୪) ଏମ୍ ଡ଼ି ନାସିମ । ଏମାନେ ସମସ୍ତେ ମୀନାପଡ଼ାର ବାସିନ୍ଦା । ହେଲେ ପୋଲିସକୁ ଚକମା ଦେଇ ଖସିଯାଇଛି ମାଷ୍ଟର ମାଇଣ୍ଡ ମୀନା । ଗିରଫଙ୍କ ମଧ୍ୟରେ ସୁଲତାନା ଖାତୁନ ପୁର୍ବରୁ ଜେଲ ଯାଇ ଜାମିନରେ ଆସିଛି। ହେଲେ ବେପାର ଛାଡ଼ିପାରିନି। ପୋଲିସ କହିଛି ବାଙ୍ଗାଲାଦେଶରୁ ପଶ୍ଚିମବଙ୍ଗ ଦେଇ ଆସୁଛି ବ୍ରାଉନସୁଗାର ରାଉରକେଲା ଆସୁଛି। ଆଉ ମୀନାର ବାଂଲାଦେଶୀ କାର୍ପଟଦାରଙ୍କ ସହ ଲିଙ୍କ ଥିବା ସନ୍ଦେହ କରାଯାଉଛି।
ପ୍ରଶ୍ନ ଉଠୁଛି ମୀନାପଡ଼ା ପୋଲିସ ସ୍କାନରରେ କେବଠାରୁ ଥିଲା ? ମୀନା ଆଜିକାଲି ବେପାର କରିନି, ଏକ ସାମ୍ରାଜ୍ୟ ଠିଆ କଲାଣି। ଆଜି ଚଢ଼ାଉ ବେଳେ ସେ ପୋଲିସକୁ ଚକମା ଦେଇଛି। ତେଣୁ ମୀନାର ଲିଙ୍କ ପୋଲିସ ଭିତରେ ନାହାନ୍ତି ତ ?