ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତର କାର୍ଯ୍ୟସୂଚୀ ବଦଳିଲା, ୨୩ରେ ରାଇରଙ୍ଗପୁର ଓ ୨୪ରେ ଆସିବେ ବାଙ୍ଗିରିପୋଷି

Published By : Prameya-News7 Bureau | October 16, 2024 IST

ବାରିପଦା ୧୬।୧୦: ଆସନ୍ତା ୨୩ ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ବହୁ ପ୍ରତିକ୍ଷୀତ ମୟୂରଭଞ୍ଜର ତିନୋଟି ନୂତନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି । ୨୩ ତାରିଖ ଦିନ ମହାମହିମ ଜନ୍ମମାଟି ଉପରବେଡା ଗ୍ରାମକୁ ଗସ୍ତ କରି ସେଠାରେ ରାଷ୍ଟ୍ରପତି ପାଠ ପଢୁଥିବା ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିବେ । ନିଜ ବାପଘରକୁ ଯାଇ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ । ପରେ ସଡ଼କ ପଥରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ପହଞ୍ଚିବେ । ଅପରାହ୍ନ ୪ଟାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏସ୍‌ଏଲ୍‌ଏସ୍ ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକାର୍ପଣ କରିବେ । ସେଠାରୁ ଅପରାହ୍ନ ୫ଟାରେ ବାହାରି ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ । ପରେ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦେବ ଦର୍ଶନ କରିବା ସହ ନୂତନ ଭାବେ ସ୍ଥାପିତ ଗଣେଶଙ୍କୁ ଆରତୀ କରିବା ପରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ରାତ୍ରିଯାପନ କରିବେ ।

ଏହାପରେ ରାଷ୍ଟ୍ରପତି ୨୪ ତାରିଖ ବୁଧବାର ବାଙ୍ଗରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଦିନ ୯ଟା ୧୫ରେ ପହଞ୍ଚି ତିନୋଟି ନୂତନ ରେଳପଥ ବାଙ୍ଗରିପୋଷି-ଗୋରୁମହିଷାଣୀ, ବୁଢାମରା-ଚକୁଳିଆ ଓ ବାଦାମ ପାହାଡ-କେନ୍ଦୁଝରଗଡ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟ୍ରାଇବାଲ ରିସୋର୍ସ ସେଣ୍ଟର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏ ନେଇ ରେଳ ବିଭାଗର ଅଧିକାରୀ ମାନେ ବାଙ୍ଗିରିପୋଷି ଗସ୍ତରେ ଆସି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ତତ୍ପରତା ଦେଖେଇଛି । ସୁରକ୍ଷା ଦୃଷ୍ଟିରୁ ଅଧିକାରୀ ମାନେ ଆସି ଘଟଣାସ୍ଥଳ ବୁଲି ସ୍ଥିତିର ତର୍ଜମା କରିବା ସହିତ ଅଧିକାରୀ ମାନେ ଘନ ଘନ ବୈଠକ କରୁଛନ୍ତି । ଏ ନେଇ ପୋଲିସ ଉପ ନିର୍ଦ୍ଦେଶକ ବାଙ୍ଗିରିପୋଷି ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ୨୪ ତାରିଖ ପୁରୀ  ଅଭିମୁଖେ ଯାତ୍ରା କରିବାର ସୂଚନା ରହିଛି ।

You Can Read:

ଦୁର୍ଘଟଣାଗ୍ରସ୍ତ ହେଲା ଜିପ୍ : ୫ ପର୍ଯ୍ୟଟକ ଆହତ, ଚାପି ହୋଇଗଲେ ମହିଳା

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.