କଟକ: ପାଟଣାଗଡ଼ ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ କନକ ବର୍ଦ୍ଧନଙ୍କ ଅନ୍ତରୀଣ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ନିର୍ବାଚନୀ ମାମଲା ଦାୟର ହେବାର ୯୦ ଦିନ ପରେ କନକ ଆବେଦନ କରିଥିଲେ। ନିର୍ବାଚନୀ ମାମଲାକୁ ଖାରଜ କରିବା ଲାଗି କେଭି ଆବେଦନ କରିଥିଲେ। ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କ ପକ୍ଷରୁ ନିର୍ବାଚନୀ ମାମଲା ଦାୟର ହୋଇଥିଲା। ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃୟାରୀ ୩କୁ ଧାର୍ଯ୍ୟ କରାଯାଇଛି।
ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲବେଳେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ନେଇ ହୋଇଥିବା ନିର୍ବାଚନୀ ମାମଲାରେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ବେଳେ ଶ୍ରୀ ସିଂହଦେଓ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ନେଇ ଦାୟର ମାମଲାର ଶୁଣାଣି କରି ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ପରବର୍ତ୍ତୀ ଶୁଣାଣି ବେଳେ ଉତ୍ତର ରଖିବାକୁ ତାଙ୍କୁ ଆଦେଶ ଦେଇଥିଲେ।
ମାମଲାର ଅନୁଯାୟୀ କନକ ବର୍ଦ୍ଧନଙ୍କ ବିରୋଧରେ ପାଟଣାଗଡ଼ ନିର୍ବାଚନମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ମିଥ୍ୟା ସତ୍ୟପାଠ ପ୍ରଦାନ ନେଇ ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଶ୍ରୀ ସିଂହଦେଓ ତାଙ୍କ ସତ୍ୟପାଠରେ ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଦର୍ଶାଇନାହାନ୍ତି। ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଷ୍ଟେଟ୍ମେଣ୍ଟ, ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ମଧ୍ୟ ଦେଇନାହାନ୍ତି। ଏଥିସହ ତାଙ୍କ ନାମରେ ଥିବା ଅପରାଧିକ ମାମଲାର ତଥ୍ୟ ଠିକ୍ ଭାବେ ଦର୍ଶାଇ ନାହାନ୍ତି । ତେଣୁ ତାଙ୍କର ନାମାଙ୍କନପତ୍ର ଗ୍ରହଣୀୟ ହେବା କଥା ନୁହେଁ ବୋଲି ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି।