ହଜିବାକୁ ବସିଲାଣି ଭାରତର ଜାତୀୟ କ୍ରୀଡ଼ାର ମହତ୍ତ୍ଵ, କିନ୍ତୁ ହକି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସୁବର୍ଣ୍ଣପୁରର ଆଦିବାସୀ

Published By : Prameya-News7 Bureau | January 24, 2025 IST

ବିନିକା ୧: ପଡିଆ ଭିତରେ ଚାଲିଛି ଘମାଘୋଟ ଲଢେଇ । ଗୋଲ୍ ଦେବା ପାଇଁ ଉଭୟ ଦଳ ପକ୍ଷରୁ ଚାଲିଛି ସଂଘର୍ଷ । କମେଣ୍ଟ୍ରିରେ ଫାଟି ପଡୁଛି ପଡିଆ । ଏପଟେ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ଼ । ପୁରୁଷଠୁ ଆରମ୍ଭ କରି ମହିଳାମାନେ ଖେଳ ଦେଖିବାକୁ ପଡିଆ ଚାରିପାଖେ ଲଗାଇଛନ୍ତି ଭିଡ । ଏଭଳି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଜଙ୍ଗଲ ପାହାଡ ଘେରା ଆଦିବାସୀ ଗାଁ ଗିନ୍ଦଲାମାଲ ଖେଳ ପଡିଆର । 

ଦୀର୍ଘ ୩୮ ବର୍ଷ ଧରି ଏଠାରେ ଆୟୋଜିତ ହେଉଛି ଆନ୍ତଃରାଜ୍ୟ ହକି ଟୁର୍ଣ୍ଣାମେଣ୍ଟ । ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ ରାଜ୍ୟରୁ ଏଠାରେ ପ୍ରାୟ ୩୦ଟି ଦଳ ଭାଗ ନିଅନ୍ତି । ଏଠାରେ ଯୋଗଦେଇ ଖେଳାଳି ଯେତିକି ମଜା ନିଅନ୍ତି ତାଠୁ ଅଧିକ ମଜା ନିଅନ୍ତି ଦର୍ଶକମାନେ । ଖେଳାଳିମାନେ ଆୟୋଜକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥାନ୍ତି ।

ପ୍ରତିବର୍ଷ ଜାନୁଆରୀ ମାସରେ ଆୟୋଜିତ ହୋଇଥାଏ ଏହି ଟୁର୍ଣ୍ଣାମେଣ୍ଟ । ସବୁଠାରୁ ବେଶୀ ଆକର୍ଷଣୀୟ ଥାଏ ଆଦିବାସୀଙ୍କ ଅତିଥି ସତ୍କାର । ଅତିଥିଙ୍କୁ ନିଆରା ଭାବରେ ସ୍ବାଗତ କରାଯାଇଥାଏ ଏହି କାର୍ଯ୍ୟକ୍ରମକୁ । ପ୍ରତିକୂଳ ପରିସ୍ଥିତିରେ ବି ବେଶ୍ ଜାକଜମକରେ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥାନ୍ତି ଆଦିବାସୀ ବିକାଶ ପରିଷଦ ଓ କିଛି ସାମାଜିକ ଅନୁଷ୍ଠାନ । ଦୀର୍ଘ ଦିନ ଧରି ନିଜସ୍ଵ ଖର୍ଚ୍ଚରେ ଏଠାରେ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିଲେ ହେଁ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି । ଭିତ୍ତିଭୂମିର ବି ହୋଇପାରୁନି ବିକାଶ । 

ଏହି ପଡିଆର ଉନ୍ନତି ସହ କ୍ରୀଡାବିତ ମାନଙ୍କୁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦେବାକୁ ଦାବି ହୋଇଛି । ତେବେ ରାଜ୍ୟ ବୟନିକାର ସଭାପତି ପ୍ରକାଶ ମେହେର ଅତିଥି ଭାବେ ଯୋଗ ଦେଇ ଏହାର ପ୍ରୋତ୍ସାହନ ପାଇଁ ସରକାର ଦୃଷ୍ଟି ଦେବେ ବୋଲି ଆଶାବାଦୀ ଥିବା କହିଛନ୍ତି ।


You Can Read:

ରାତି ଅଧରେ ଧାନ ମଣ୍ଡିରେ ଅଚାନକ ପହଞ୍ଚିଗଲେ ଭଦ୍ରକ ଜିଲ୍ଲାପାଳ, ପରଖିଲେ ସ୍ଥିତି 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.