ଭଦ୍ରକ ୫।୧: ଗୁଡ଼ି ମାଞ୍ଜା ସୂତାରେ ମୁଣ୍ଡ, ଆଖି ପତାରେ ଗଭୀର ଆଘାତ ଲାଗି ଯୁବକ ଗୁରୁତର । ନିଜ କାର୍ଯ୍ୟ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଭଦ୍ରକ ଷ୍ଟେସନ ସମ୍ମୁଖରେ ଏଭଳି ଅଘଟଣ ଘଟିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଆହତ ଯୁବକ ହେଉଛନ୍ତି ଗେଲଟୁଆ ପଞ୍ଚାୟତ ବଗମରା ଗ୍ରାମର ମୁକ୍ତିକାନ୍ତ ପାଢ଼ୀ । ମୁଣ୍ଡରେ ହେଲମେଟ୍ ଥିବା ସତ୍ତ୍ବେ ମୁହଁ କାଚ ଖୋଲାଥିବାରୁ ମାଞ୍ଜା ସୂତା ଭିତରେ ପଶି ଗଭୀର ଆଘାତ ଦେଇଥିଲା । ଜଣକ ପାଇଁ ସଉକ, ଆଉ ଜଣଙ୍କ ପାଇଁ କାଳ ପାଲଟିଯାଇଛି । ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ମାଞ୍ଜା ସୂତାରେ ଗୁଡ଼ି ଉଡାଇ ମଜା ଉଠାଉଥିଲେ ଯୁବକ । ଭଦ୍ରକ ଷ୍ଟେସନ ସମ୍ମୁଖରେ କିଛି ଘରର ଛାତ ଉପରେ ମାଞ୍ଜା ସୂତାରେ ଯୁବକ ମାନେ ଗୁଡ଼ି ଉଡାଉଥିଲେ । ପୋଲିସ ଓ ପ୍ରଶାସନକୁ ଲିଖିତ ଅଭିଯୋଗ ହେଲେ, ତଦନ୍ତ ହୁଏ । ପୂର୍ବରୁ ଏହି ମାଞ୍ଜା ସୂତା ଲାଗି ଅନେକ ଅଘଟଣ ଘଟିଛି । ସରକାର ଏହି ମାଞ୍ଜା ସୂତାକୁ ବେଆଇନ ଘୋଷଣା କରିଛନ୍ତି । କିନ୍ତୁ ନିୟମ କାର୍ଯ୍ୟକାରୀ ହେଉ ନାହିଁ । ଏଭଳି ଅଭାବନୀୟ ଘଟଣା ପ୍ରତି ପୋଲିସ, ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଦାବି ହେଉଛି ।
You Can Read:
ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଜୋରଦାର, ୮୦ ପ୍ରତିଶତ କାମ ସରିଥିବା ବେଳେ ୬ ସୁଦ୍ଧା ସରିବ ସବୁ କାମ