ସ୍ୱାଧୀନତା ପରଠୁ ଆଜି ଯାଏ ବିଜୁଳି ୩୯୦୦୦%, ସଡ଼କ ୧୫୭୦୦%, ରେଳ ଲାଇନ ୨୫୦% ବଢିଛି

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ପରାଧୀନତା ପରେ ୭୬ ବର୍ଷ ପୂର୍ବେ ଭାରତ ସ୍ୱାଧୀନ ହେବା ବେଳେ ଭିତ୍ତିଭୂମି ନାଁରେ ଦେଶରେ ରେଳ ଲାଇନ, କିଛି ହଜାର କିଲୋମିଟରର ସଡ଼କ, କିଛି ମାତ୍ର ଘରକୁ ବିଜୁଳି, ୩୦୦ରୁ କମ ନଦୀ ବନ୍ଦ ଏବଂ ହାତ ଗଣତି ଏୟାରପୋର୍ଟ ଏବଂ ବନ୍ଦର ରହିଥିଲା । ସ୍ୱାଧୀନ ଭାରତର ଲିଡର ଦେଶରେ ଭିତ୍ତିଭୂମିର ଗୁରୁତ୍ୱକୁ ବୁଝିଥିଲେ । ଏହାର ହିଁ ପରିମାଣ ଥିଲା ପ୍ରାୟ ସାତ ଦଶନ୍ଧି ପରେ ବିଜୁଳି ଉତ୍ପାଦନ ୩୯୦୦୦ ପ୍ରତିଶତ, ପ୍ରତି ବ୍ୟକ୍ତି ବିଜୁଳି ବ୍ୟବହାର ୭୫୦୦ ପ୍ରତିଶତ, ସଡ଼କ ୧୫୭୦୦ ପ୍ରତିଶତ, ନଦୀ ବନ୍ଦ ୧୫୦୦ ପ୍ରତିଶତ ଏବଂ ରେଳ ଲାଇନ ୨୫୦ ପ୍ରତିଶତ ବଢିଛି ।

ଦେଶରେ ବିଜୁଳି ଉତ୍ପାଦନ ଏବଂ ବ୍ୟବହାରର ଯାତ୍ରା

୧୯୪୭ ମସିହାରେ ସ୍ୱାଧୀନତା ସମୟରେ ଭାରତର ମୋଟ ବିଜୁଳି ଉତ୍ପାଦନ କ୍ଷମତା କେବଳ ୧,୩୬୨ ମେଗାୱାଟ ଥିଲା, ଯାହା ଏବେ ୪,୪୮,୧୧୦ ମେଗାୱାଟ ହୋଇଛି । ସ୍ୱାଧୀନତା ସମୟରେ ବିଜୁଳିର ଉପଲବ୍ଧତା କିଛି ସହରୀ କ୍ଷେତ୍ର ଯାଏ ସୀମିତ ଥିଲା । ଅନ୍ୟପଟେ ଗ୍ରାମାଞ୍ଚଳ ଏବଂ ଗାଁରେ ବିଜୁଳି ପହଞ୍ଚିନଥିଲା । ପ୍ରତି ବ୍ୟକ୍ତି ବିଜୁଳି ଖର୍ଚ୍ଚ ମାତ୍ର ୧୬ ୟୁନିଟ୍ ଥିଲା । ସ୍ୱାଧୀନତା ପୂର୍ବରୁ ବିଜୁଳି ଉତ୍ପାଦନ ଏବଂ ବିତରଣ ମୁଖ୍ୟ ରୂପେ ଘରୋଇ କମ୍ପାନି ଯେପରି କଲିକତା ଇଲେକ୍ଟ୍ରିକ ଏବଂ ଟାଟା ଇଲେକ୍ଟ୍ରିକ ଦ୍ୱାରା କରାଯାଇଥିଲା । ୧୯୪୭ ପରେ ସବୁ ନୂଆ ଉତ୍ପାଦନ ଏବଂ ବିତରଣ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଏଜେନ୍ସି ହାତକୁ ଆସିଥିଲା । ୧୯୭୨ ଯାଏ ସ୍ଥାପିତ କ୍ଷମତା ୧୨ ଗୁଣା ବଢି ୧୬,୬୦୦ ମେଗାୱାଟ ହୋଇଥିଲା ଏବଂ ପ୍ରତି ବ୍ୟକ୍ତି ବ୍ୟବହାର ମଧ୍ୟ ୭ ଗୁଣା ବଢି ୧୨୦ ୟୁନିଟ୍ ହୋଇଥିଲା । ୨୦୨୨ ମାର୍ଚ୍ଚ ଯାଏ ଭାରତ ୪ ଲକ୍ଷ ମେଗାୱାଟ ବିଜୁଳି ଉତ୍ପାଦନର କ୍ଷମତା ହାସଲ କରିଥିଲା । ଏଥିରୁ ୪୧ ପ୍ରତିଶତ ନବୀକରଣ ସ୍ରୋତରୁ ଆସୁଛି । ପ୍ରତି ବ୍ୟକ୍ତି ବିଜୁଳି ବ୍ୟବହାର ମଧ୍ୟ ବଢି ଏବେ ୧,୨୩୧ ୟୁନିଟ୍ ହୋଇଛି । ତେବେ ବର୍ତ୍ତମାନ ସମୟରେ ବି ଏହା ବୈଶ୍ୱିକ ହାରାହାରି ୩,୫୦୦ ୟୁନିଟ୍‌ରୁ କମ ରହିଛି ।

ପଢନ୍ତୁ: ଗଲୱାନ ସଂଘର୍ଷ ପରେ LACରେ ବଢିଥିଲା ସୈନ୍ୟ ମୁତୟନ, ୬୮ ହଜାର ସୈନିକଙ୍କୁ ପୂର୍ବ ଲଦ୍ଦାଖରେ ପହଞ୍ଚାଇଥିଲା ବାୟୁସେନା

ସଡକ ପଥରେ ବିଶ୍ୱରେ ଦ୍ୱିତୀୟ

ସଡ଼କ ନିର୍ମାଣ ମାମଲାରେ ମଧ୍ୟ ଭାରତ ବେଶ ଆଗକୁ ବଢିଛି । ଡାଟା କହୁଛି ସ୍ୱାଧୀନତା ସମୟରେ ସାରା ଦେଶରେ ୪୦ ହଜାର କିଲୋମିଟର ରାସ୍ତା ଥିଲା । ଏଥିରୁ ୨୪ ହଜାର କିଲୋମିଟର ନ୍ୟାସନାଲ ହାଇୱେ ଥିଲା । ଅଧିକାଂଶ ରାସ୍ତା ଏକ ଲେନର ଥିଲା ଏବଂ କୌଣସି ଗାଁ ଏହି ରାସ୍ତା ସହ ଯୋଡି ହୋଇନଥିଲା । ଆଜି ଦେଶରେ ୬୩ ଲକ୍ଷ କିଲୋମିଟରରୁ ଅଧିକ ଲାମ୍ୱା ସଡକ ରହିଛି, ଯାହା ଦୁନିଆରେ ଆମେରିକା (୬୫.୮ ଲକ୍ଷ କିଲୋମିଟର) ପରେ ସବୁଠୁ ଅଧିକ । ଭାରତରେ ଯେଉଁ ବେଗରେ ରାସ୍ତା ନିର୍ମାଣ କରାଯାଉଛି, ଖୁବଶୀଘ୍ର ଭାରତ ଦୁନିଆର ସବୁଠୁ ଲାମ୍ୱା ସଡ଼କ ପଥ ଥିବା ଦେଶ ପାଲଟିବ ।

ରେଲୱେକୁ ନୂଆ ରୂପ ଦେଇଛି ବନ୍ଦେ ଭାରତ

ଇଂରେଜ ଭାରତରେ ସବୁଠୁ ଅଧିକ ଯେଉଁ ଭିତ୍ତିଭୂମି ଉପରେ କାମ କରିଥିଲେ ତାହା ହେଉଛି ରେଲୱେ । ତେବେ ସେମାନଙ୍କ ଉଦ୍ଦେଶ୍ୟ ଅଲଗା ଥିଲା । ସ୍ୱାଧୀନତା ସମୟରେ ଦେଶରେ ମୋଟ ରେଳ ଲାଇନ ପ୍ରାୟ ୫୫ ହଜାର କିଲୋମିଟର ଥିଲା । ଏଥିରୁ ୨୫୧୧୭ ବ୍ରଡଗେଜ, ୨୪1୫୩ ମିଟରଗେଜ ଏବଂ ୫୩୭୦ ନେରୋଗେଜ ଥିଲା । ସ୍ୱାଧୀନତା ପୂର୍ବରୁ ୪୨ ଭିନ୍ନ ଭିନ୍ନ କମ୍ପାନି ରେଲୱେର ପରିଚାଳନା କରୁଥିଲେ । ସ୍ୱାଧୀନତା ପରେ ଏହାର ରାଷ୍ଟ୍ରୀୟକରଣ କରାଯାଇ ଗୋଟିଏ ଭାରତୀୟ ରେଲୱେର ସ୍ଥାପନ କରାଯାଇଥିଲା । ସବୁ ଲାଇନକୁ ବ୍ରଡଗେଜ କରାଗଲା । ଲାଇନଗୁଡିକର ଦୋହରିକରଣ ଏବଂ ବିଦ୍ୟୁତକରଣ କରାଗଲା । ଆଜି ଭାରତର ରେଲୱେ ନେଟୱାର୍କ ଦୁନିଆର ସବୁଠୁ ବଡ଼ ନେଟୱାର୍କ ମଧ୍ୟରୁ ଗୋଟିଏ । ଦେଶରେ ପ୍ରାୟ ୧,୨୮,୦୦୦ କିଲୋମିଟର ଲମ୍ୱା ରେଲୱେ ଲାଇନ ରହିଛି । ୨୦୧୮ରେ ଟ୍ରାକକୁ ଓହ୍ଲାଇଥିବା ପ୍ରଥମ ସ୍ୱଦେଶୀ ନିର୍ମିତ ସେମିହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତୀୟ ରେଲୱେର ନୂଆ ଚେହେରା ପାଲଟିଗଲା । କେନ୍ଦ୍ର ସରକାର ଦେଶରେ ୫୦୦ରୁ ଅଧିକ ରେଲୱେ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ କାମ କରୁଛନ୍ତି ।

ଉଡାଣ ଯୋଜନା ସିଭିଲ୍ ଆଭିଏସନର ରୂପ ବଦଳାଇଛି

ଦେଶରେ ବିମାନ ଯାତ୍ରାର ବିକାଶ ହେବା ବାକି ରହିଛି । ପ୍ରାୟ ଚାରି ଦଶନ୍ଧି ଯାଏ ବିମାନ ଯାତ୍ରା ଉଚ୍ଚ ଆୟ ବର୍ଗ ଯାଏ ହିଁ ସୀମିତ ଥିଲା । ଆର୍ଥିକ ଉଦାରୀକରଣ ପରେ ବିମାନ ଯାତ୍ରାର ଚଳଣ ବଢିଥିଲା । ୨୦୦୩ରେ କ୍ୟାପ୍ଟେନ ଜିଆର ଗୋପୀନାଥ ଦେଶରେ ପ୍ରଥମ ବଜେଟ୍ ଏୟାରଲାଇନ ଡେକ୍କନ ଆରମ୍ଭ କରିଥିଲେ, ଯେଉଁଥିରେ ପ୍ରଥମ ଥର ପାଇଁ ଅଳ୍ପ ଆୟ ବର୍ଗର ଲୋକଙ୍କ ପାଇଁ ବିମାନ ଯାତ୍ରା ସମ୍ଭବ ହୋଇଥିଲା । ତେବେ, ଏଥିରେ ଅଧିକାଂଶ ଉଡାଣ ଦକ୍ଷିଣ ଭାରତର ଛୋଟ ସହରଗୁଡିକ ମଧ୍ୟରେ ସୀମିତ ରହିଥିଲା । ଏହାପରେ ୨୦୧୬ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଉଡାଣ ଯୋଜନା ଦେଶରେ ସିଭିଲ୍ ଆଭିଏସନର ରୂପ ବଦଳାଇ ଦେଇଥିଲା । ମାତ୍ର ତିନି ବର୍ଷ ଭିତରେ ହିଁ ଅନେକ ଏପରି ସହର ଦେଶର ବିମାନ ମାନଚିତ୍ରରେ ସ୍ଥାନ ପାଇଲେ, ଯେଉଁମାନେ କେବେ ଉଡାଣକୁ ଦେଖି ନଥିଲେ । ଦେଶରେ ଆଜିର ସମୟରେ ୧୦୦ରୁ ଅଧିକ ବିମାନ ବନ୍ଦର ରହିଛି । ଯାହା ଚୀନ ଏବଂ ଆମେରିକା ପରେ ସବୁଠୁ ଅଧିକ ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧ ହାସଲ କରିଛି । ଭିତ୍ତିଭୂମିର ବିକାଶ ହିଁ ଭାରତର ଦ୍ରୁତଗତିରେ ବଢୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ହୋଇଛି । ତେବେ, ଭିତ୍ତିଭୂମି ମୋର୍ଚ୍ଚାରେ ଏବେବି ଭାରତ ସାମନାରେ ଅନେକ ଆହ୍ୱାନ ରହିଛି ।

Also read: ଅଗଷ୍ଟ ୧୫ରେ ସମାପ୍ତ ହେବ ଗୋଲାମୀର ଆଉ ଏକ କାହାଣୀ, ବ୍ରିଟିଶ ନୁହେଁ ଏଥର ଶୁଣିବାକୁ ମିଳିବ ସ୍ୱଦେଶୀ ତୋପର ଗର୍ଜନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.