ପହଲଗାମ: ଜମ୍ମୁ-କାଶ୍ମୀରର ପହଲଗାମରେ ମଙ୍ଗଳବାର ପର୍ଯ୍ୟଟକଙ୍କ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୪ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ସାମିଲ। ଏହି ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣାର ଦୃଶ୍ୟ ସଂପର୍କରେ ବଖାଣିଛନ୍ତି। ଏହି ହମଲା ଏମିତି ସମୟରେ ହୋଇଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଅଛନ୍ତି।
ଆତଙ୍କବାଦୀ ଆକ୍ରମଣର ହୃଦୟଥରା ଅନେକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମହିଳା ଜଣକ କହୁଛନ୍ତି, ମୁଁ ଓ ମୋର ସ୍ଵାମୀ ଗୋଟିଏ ଜାଗାରେ ବସି ଭେଲପୁରୀ ଖାଉଥିଲୁ। ସେହି ସମୟରେ କିଛି ଆତଙ୍କବାଦୀ ସେଠାରେ ଆସି ପହଞ୍ଚିଥିଲେ। ସେମାନେ ଆମକୁ ଦେଖିଲେ ଏବଂ କହିଲେ ଏମାନେ ମୁସଲିମ ଲାଗୁ ନାହାନ୍ତି, ମାରି ଦିଅ। ତୁରନ୍ତ ମୋ ସ୍ଵାମୀକୁ ଗୁଳି କରି ଦେଲେ। ଅନ୍ୟ ଜଣେ ମହିଳା କାନ୍ଦି କାନ୍ଦି ମୋ ସ୍ଵାମୀକୁ ବଞ୍ଚାନ୍ତୁ, ସେ ତଳେ ପଡ଼ି ରହିଛନ୍ତି। ଅନ୍ୟ ଜଣେ ମହିଳା ନିଜ ଆହତ ସ୍ଵାମୀଙ୍କୁ ଚେୟାରେ ସମ୍ଭାଳି ସାହାଯ୍ୟ ପାଇଁ ଗୁହାରି କରିଥିଲେ।
ଅନ୍ୟ ଏକ ଭିଡିଓରେ କିଛି ପର୍ଯ୍ୟଟକ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଜଣକ ମୁଣ୍ଡରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ି ରହିଛନ୍ତି। ଘଟଣାସ୍ଥଳରେ କିଛି ମହିଳାଙ୍କ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଛି। ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଏଣେ ତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି।
ଆକ୍ରମଣ ଘଟିଥିବା ସ୍ଥାନର ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଅନେକ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ଅବସ୍ଥାରେ ତଳେ ପଡ଼ି ରହିଛନ୍ତି। ଜଣେ ମହିଳା ପର୍ଯ୍ୟଟକ କାନ୍ଦି କାନ୍ଦି ନିଜ ପରିଜନଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ଆତଙ୍କୀ ସଂଗଠନ TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି।