ମାଘ ସପ୍ତମୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସୁରକ୍ଷା ପାଇଁ ଫୋର୍ସ ମୁତୟନ

Published By : Prameya-News7 Bureau | February 04, 2025 IST

କୋଣାର୍କ ୦୪/୦୨: ଆଜି ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ଚନ୍ଦ୍ରଭାଗାରେ ବୁଡ଼ ପକାଇଲେଣି ଲକ୍ଷାଧିକ ଶ୍ରଦ୍ଧାଳୁ । ତିନି ଠାକୁରଙ୍କ ସ୍ନାନ ଓ ଆଳତୀ ପରେ ବୁଡ଼ ପକାଇଛନ୍ତି ଶ୍ରଦ୍ଧାଳୁ । ଐଶାନେଶ୍ବର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱର ତିନି ଠାକୁର ଆସି ସ୍ନାନ କରିଥିଲେ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । 

ସୂଚନା ଥାଉକି, ଆଜି ମାଘ ସପ୍ତମୀ ତିଥି । ସେଥିପାଇଁ ମଙ୍ଗଳବାର ଭୋର ୫ଟାରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ଵାସ ରହିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀଶ୍ରୀ ତ୍ରୀବେଣୀଶ୍ବର, ଇଷାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇଥିଲେ। 

ସୋମବାର ଷଷ୍ଠୀ ରାତି ୯ଟା୪୫ରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା। ରାତି ୪ଟା୩୫ରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିଥିଲେ ତିନି ଠାକୁର। ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀ ତୀଥିରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିଥିଲେ।  

ତୀର୍ଥ ଜଳ ଗୋଳିଆ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ହରିବୋଲ ଓ ହୁଳହୁଳି ଶବ୍ଦରେ ତୀର୍ଥ କ୍ଷେତ୍ର ପ୍ରକମ୍ପିତ ହୋଇଥିଲା । ତୀର୍ଥ ପୁଷ୍କରିଣୀରେ ପୁରୀ ରାଧାବଲ୍ଲଭ ମଠ ପକ୍ଷରୁ ସାଧୁସନ୍ଥମାନେ ୧୦୮ ଦୀପ ଆଳତୀ କରିଥିଲେ। କୁହୁଡି ଯୋଗୁଁ ଶ୍ରଦ୍ଧାଳୁମାନେ ବିଳମ୍ବରେ ସୂର୍ଯ୍ୟଦର୍ଶନ କରିଥିଲେ। ଗ୍ରହ ଶାନ୍ତି ନିମନ୍ତେ ଚନ୍ଦ୍ରଭାଗାରୁ ୩କିମି ପାଦରେ ଚାଲି ଚାଲି ଆସି ନବଗ୍ରହଙ୍କ ନିକଟରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଥିଲେ।  

ଚନ୍ଦ୍ରଭାଗାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ,ଏସପି ବିନୀତ ଅଗ୍ରଓ୍ଵାଲ, ଉପଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୩ଶହ ସ୍ବେଛାସେବୀ,୩୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

also read...

ଷ୍ଟାର ହୋଟେଲ ମଣ୍ଡପରୁ ଲୁଟ ଘଟଣା, ପୁରୀରୁ ଧରାପଡିଲା ଚୋର, ସହଯୋଗୀ ଫେରାର୍


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.