MahaKumbhaରେ ବୁଡ଼ ପକାଇବାକୁ ଆସିଛନ୍ତି ୬୮ ପାକିସ୍ତାନୀ ହିନ୍ଦୁ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | February 06, 2025 IST

ପ୍ରୟାଗରାଜ ୬।୨:  ମହାକୁମ୍ଭରେ ସ୍ନାନ ପାଇଁ ଗୁରୁବାର ପାକିସ୍ତାନ ସିନ୍ଧ ପ୍ରାନ୍ତରୁ ୬୮ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଏକ ପଙକ୍ତି ପ୍ରୟାଗରାଜ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ମହାକୁମ୍ଭର ଦିବ୍ୟତା ଓ ଭବ୍ୟତା ସମ୍ପର୍କରେ ଦେଖିବା ଓ ଶୁଣିବା ପରେ ସେମାନେ ପ୍ରୟାଗରାଜ ଆସିବା ପାଇଁ ନିଜକୁ ଅଟକାଇ ପାରି ନଥିଲେ। ପାକିସ୍ତାନୀ ଶ୍ରଦ୍ଧାଳୁଙ୍କ ଏହି ଗୋଷ୍ଠୀ ମହାକୁମ୍ଭ ନଗରର ସେକ୍ଟର-୯ସ୍ଥିତ ଶ୍ରୀ ଗୁରୁକାର୍ଣ୍ଣି ଶିବିରରେ ରହିଛନ୍ତି। ଏଠାରେ ଗଣମାଧ୍ୟମ ସହ ଆଲୋଚନାରେ ସିନ୍ଧରୁ ଆସିଥିବା ଗୋବିନ୍ଦ ରାମ ମାଖିଜା କହିଛନ୍ତି ଯେ ମେଳା ସମ୍ପର୍କରେ ଶୁଣିବା ପରଠାରୁ ସେ ଏଠାକୁ ଆସିବାକୁ ଚାହୁଁଥିଲେ। 

ମାଖିଜା କହିଛନ୍ତିଯେ ଗତବର୍ଷ ଏପ୍ରିଲ ମାସରେ ୨୫୦ ଜଣ ଲୋକ ପାକିସ୍ତାନରୁ ପ୍ରୟାଗରାଜ ଆସିଥିଲେ ଓ ଗଙ୍ଗା ସ୍ନାନ କରିଥିଲେ, ଏଥିରେ ସେ ମଧ୍ୟ ଆସିଥିଲେ। ଏଥର ସିନ୍ଧର ୬ ଜିଲ୍ଲା ଗୋଟକୀ, ସକ୍କର, ଖୈରପୁର, ଶିକାରପୁର, କର୍ଜକୋଟ ଓ ଜଟାବାଲରୁ ୬୮ ଜଣ ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ଜଣ ପ୍ରଥମ ଥର ମହାକୁମ୍ଭକୁ ଆସିଛନ୍ତି। ମାଖିଜା କହିଛନ୍ତି ଯେ ଏଠାକୁ ଆସି ଏକ ଭିନ୍ନ ଅନୁଭବ ହେଉଛି। ଏଠାକାର ଅନୁଭବ ବୟାନ କରିବାକୁ ମୋ ମୁହଁରେ ଶବ୍ଦ ନାହିଁ, ବହୁତ ଆନନ୍ଦ ଲାଗୁଛି। 

ସେ କହିଛନ୍ତି ଯେ ଆମେ ଶୁକ୍ରବାର ଗଙ୍ଗାରେ ବୁଡ଼ ପକାଇବୁ। ଏଠାକୁ ଆସିବାରୁ ସନାତନ ଧର୍ମରେ ଜନ୍ମ ନେବାର ଗୌରବର ଅନୁଭବ ହେଉଛି। ସିନ୍ଧ ପ୍ରାନ୍ତର ଗୋଟକୀରୁ ଆସିଥିବା ଏକାଦଶ ଶ୍ରେଣୀର ଛାତ୍ରୀ ସୁରଭୀ କହିଛନ୍ତି ଯେ ସେ ପ୍ରଥମ ଥର ଭାରତ ଆସିଛନ୍ତି। ଏଠାରେ ପ୍ରଥମଥର ଆମକୁ ଆମ ଧର୍ମର ଗଭୀରତାକୁ ଦେଖିବାକୁ ଓ ଜାଣିବାକୁ ସୁଯୋଗ ମିଳିଛି। ବହୁତ ଭଲ ଲାଗୁଛି। ସେହିପରି ସିନ୍ଧ ରୁ ଆସିଥିବା ପ୍ରିୟଙ୍କା କହିଛନ୍ତି ଯେ ସେ ପ୍ରଥମ ଥର ଭାରତ ଓ ମହାକୁମ୍ଭକୁ ଆସିଛନ୍ତି। ଏଠାରେ ଆମ ସଂସ୍କୃତିକୁ ଦେଖି ଦିବ୍ୟ ଅନୁଭବ ହେଉଛି। ମୁଁ ଜଣେ ଗୃହିଣୀ ଓ ଭାରତ ଆସିବା ମୋ ପାଇଁ ସୌଭାଗ୍ୟର କଥା ବୋଲି ସେ କହିଛନ୍ତି। 

ସେ କହିଛନ୍ତି ଯେ ମୋର ଜନ୍ମ ପାକିସ୍ତାନରେ ଓ ମୁସଲମାନଙ୍କ ଗହଣରେ ବଢିଛି। ସିନ୍ଧ ପ୍ରାନ୍ତରେ ହିନ୍ଦୁଙ୍କ ପ୍ରତି ସେତେଟା ଭେଦଭାବ ନାହିଁ। ହେଲେ ଆମକୁ ଆମ ସଂସ୍କୃତିକୁ ଜାଣିବାର ସୁଯୋଗ ପ୍ରଥମ ଥର ଆମକୁ ମିଳିଛି।  ସେହିପରି ସିନ୍ଧର ଆଉ ଜଣେ ଶ୍ରଦ୍ଧାଳୁ ନିରଞ୍ଜନ ଚାୱଲା ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଭିସାନିୟମରେ ସାମାନ୍ୟ କୋହଳ କରନ୍ତୁ। 

ଏବେ ଭିସା ମିଳିବାକୁ ୬ ମାସ ଲାଗି ଯାଉଛି। ତେବେ କୁମ୍ଭକୁ ଆସିଥିବା ଦଳଙ୍କୁ ବେଶ୍ ସହଜରେ ଭିସା ମିଳିଯାଇଛି। ଏଥି ପାଇଁ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ଚାୱଲା କହିଛନ୍ତି ଯେ କାଲି ରାତିରେ ଆମେ ମହାକୁମ୍ଭ କୁ ଆସିଛୁ। ଫେବୃଆରୀ ୮ ତାରିଖ ଦିନ ଏଠାରୁ ରାୟପୁର ଯିବୁ। ସେଠାରୁ ଆମେ ହରିଦ୍ୱାର ଯାତ୍ରା କରିବୁ। ଆମ ସାଙ୍ଗରେ ଆସିଥିବା ଲୋକେ ୬ଟି ଅସ୍ଥି କଳଶ ଆଣିଛନ୍ତି। ସେମାନେ ଏହାକୁ ହରିଦ୍ୱାରରେ ବିସର୍ଜିତ କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.