ଉତ୍ତରକାଶୀ ୬।୨: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ୨୦୨୫ ନିମନ୍ତେ ଆଗାମୀ ସପ୍ତାହରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଏଥି ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ଯାତ୍ରାର ପ୍ରଥମ ମାସରେ କୌଣସି ଯାତ୍ରୀଙ୍କୁ ଭିଆଇପି ସୁବିଧା ମିଳିବ ନାହିଁ। ଅର୍ଥାତ କୌଣସି ଭକ୍ତଙ୍କୁ ଭିଆଇପି ଏସ୍କର୍ଟ ଅଥବା ବିଶେଷ ବ୍ୟବସ୍ଥା ଉପଲବ୍ଧ କରାଯିବ ନାହିଁ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଅନ୍ୟ ରାଜ୍ୟମାନଙ୍କର ଶାସନ ସଚିବଙ୍କୁ ପତ୍ର ଲେଖିବେ।
ଏପ୍ରିଲ ୧୫ ତାରିଖ ସୁଦ୍ଧା ଯାତ୍ରା ସମ୍ପର୍କିତ ସବୁ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଚାରିଧାମ ଯାତ୍ରାରେ ଚଳିତବର୍ଷ ୬୦ ପ୍ରତିଶତ ପଞ୍ଜିକରଣ ଅନଲାଇନରେ ହେବ। ୪୦ ପ୍ରତିଶତ ଅଫଲାଇନରେ କରାଯିବାକୁ ଯୋଜନା ହୋଇଛି। ଏଥି ଲାଗି ସରକାରଙ୍କ ଅଧିକାରିକ ୱେବସାଇଟରେ ପଞ୍ଜିକରଣ କରାଯାଇ ପାରିବ। ବଦ୍ରିନାଥ କବାଟ ମେ ୪ ତାରିଖରେ ଖୋଲିବ। ତେବେ କେଦାରନାଥ, ଗଙ୍ଗୋତ୍ରୀ ଓ ୟମୁନେତ୍ରୀ ଧାମର କବାଟ କେବେ ଖୋଲିବ ମହାଶିବରାତ୍ରୀ ଓ ଅକ୍ଷୟ ତୃତୀୟା ଅବସରରେ ନିଷ୍ପତ୍ତି ନିଆଯିବ।
ଚାରିଧାମ ଯାତ୍ରା ପ୍ରବନ୍ଧନ ଓ ନିୟନ୍ତ୍ରଣ ସଙ୍ଗଠନ ଦ୍ୱାରା ଟ୍ରାଞ୍ଜିଟ କ୍ୟାମ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପର୍କିତ ଜିଲ୍ଲା ମାନଙ୍କର ଜିଲ୍ଲାଧିକାରୀ (ଡିଏମ), ପୋଲିସ ଅଧିକ୍ଷକ (ଏସପି) ତୀର୍ଥ ପୁରୋହୀତ ଓ ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଗଡ଼ୱାଲ ଆୟୁକ୍ତ ତଥା ଚାରିଧାମ ଯାତ୍ରା ପ୍ରବନ୍ଧନ ଓ ନିୟନ୍ତ୍ରଣ ସଙ୍ଗଠନର ଅଧ୍ୟକ୍ଷ ବିନୟ ଶଙ୍କର ପାଣ୍ଡେୟ କହିଛନ୍ତି ଯେ ଗତବର୍ଷ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଅନେକ ସମସ୍ୟା ଉପୁଜିଥିଲା। ଏଥର ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆଗାମୀ ସପ୍ତାହରୁ ପଞ୍ଜିକରଣ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ଗଡ଼ୱାଲ ଆଇଜି ରାଜୀବ ସ୍ୱରୂପ, ଚାମୋଲୀ ଡିଏମ ସନ୍ଦୀପ ତିୱାରୀ, ରୁଦ୍ରପ୍ରୟାଗ ଡିଏମ ସୌରଭ ଗହରବାର, ପୌଡୀ ଡିଏମ ଡ.ଆଶିଷ ଚୌହାନ, ଉତ୍ତରକାଶୀ ଡିଏମ ମେହେରବାନ ସିଂହ, ଟିହରୀ ଡିଏମ ମୟୁର ଦୀକ୍ଷିତ, ହରିଦ୍ୱାର ଡିଏମ କର୍ମେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଚାରିଧାମ ଯାତ୍ରାରେ ଆସୁଥିବା ତୀର୍ଥ ଯାତ୍ରୀଙ୍କ ନିମନ୍ତେ ଋଷିକେଶରେ ୨୦, ହରିଦ୍ୱାରରେ ୨୦ ଓ ବିକାଶ ନଗରରେ ୧୫ ଟି ବିଶେଷ କାଉଣ୍ଟର ଖୋଲିବ। ଏହାଛଡା ବଡକୋଟ, ହୀନା, ପାଣ୍ଡୁକେଶ୍ୱର ଓ ସୋନପ୍ରୟାଗରେ ମଧ୍ୟ ଆବଶ୍ୟକତା ଅନୁସାରେ ଚେକିଂ କାଉଣ୍ଟର ଖୋଲିବ।
ଏହି ସବୁ ବ୍ୟବସ୍ଥା ଯାତ୍ରାକୁ ପାରଦର୍ଶୀ ଓ ସୁଗମ କରିବା ପାଇଁ କରାଯାଉଛି। ଯାହା ଦ୍ୱାରା ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାରର ଅସୁବିଧା ନ ହୁଏ। ଏଥର ସରକାର ଯାତ୍ରାକୁ ଅଧିକ ସୁବ୍ୟବସ୍ଥିତ ଓ ସୁରକ୍ଷିତ କରିବା ପାଇଁ ନୂଆ ଟେକନିକ୍ ଓ ବ୍ୟବସ୍ଥା ଲାଗୁ କରୁଛନ୍ତି। ସେହି ଅନୁସାରେ ୪ଧାମ ଯାତ୍ରା ପୂର୍ବରୁ ଏପ୍ରିଲ ୧୫ ତାରିଖ ସୁଦ୍ଧା ସବୁ ସଡ଼କର ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।