ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ: କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା

Published By : Prameya-News7 Bureau | September 16, 2024 IST

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଶୁଭାରମ୍ଭ ନେଇ ମଙ୍ଗଳବାର ଓଡ଼ିଶା ଆସୁଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଭୁବନେଶ୍ୱର ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ସାରା ରାଜଧାନୀ। ଗାଡ଼କଣ ଗାଁ, ଜନତା ମଇଦାନ ସଭାସ୍ଥଳ ଓ ଏୟାରପୋର୍ଟରୁ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ଯିବେ ପ୍ରଧାନମନ୍ତ୍ରୀ। ସରିଛି କାରକେଡ୍ ରିହର୍ସଲ । ବିମାନବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଛି। 

ପିଏମ୍‌ଙ୍କ କାରକେଡ୍ ଯେଉଁବାଟେ ଯିବ ସବୁଠି ବ୍ୟାରିକେଡ୍ ଲାଗିଛି, ପୋଲିସ୍ ସଜାଗ। କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି ହୋଇଛି । ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଜାରି ହୋଇଛି। ଏ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ଓମଫେଡ୍ ଛକ-ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ରାସ୍ତାରେ ଯା-ଆସ କରିବା ପାଇଁ ପୋଲିସ୍ ସୂଚନା ଜାରି କରିଛି। 

ସେହିପରି ପିଏମ୍‌ଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ଅତିଥିଙ୍କ ଗାଡ଼ି ପାର୍କିଂ ପାଇଁ ପୋଲିସ୍ ରିଜର୍ଭ ଗ୍ରାଉଣ୍ଡ, ସେଭେନଥ୍ ବାଟାଲିଅନ୍ ଗ୍ରାଉଣ୍ଡ ଓ ନୟାପଲ୍ଲୀ କସ୍ତୁରବା ସ୍କୁଲ ହତାରେ ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ଯେଉଁଥିରେ ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପିଙ୍କ ସହ ସାଦା ପୋଷାକରେ ବି ରହିବେ ସୁରକ୍ଷା କର୍ମୀ । ୬ କଂପାନୀ ସିଆରପିଏଫ୍ ଯବାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ତା ସହ ୨୦୨୪ ନିର୍ବାଚନ ପରେ ମୋଦି ପ୍ରଥମ କରି ଓଡ଼ିଶା ଆସୁଛନ୍ତି । ଏହି ଗସ୍ତକୁ ନେଇ ସାଧାରଣ ଜନତାଙ୍କଠୁ ରାଜ୍ୟ ବିଜେପି ଶିବିର ସବୁଠି ପରିଲିକ୍ଷିତ ହୋଇଛି ଉତ୍ସାହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.