ଉଦୟନିଧିଙ୍କ ବୟାନକୁ ଟିଏମ୍‌ସିର କଡ଼ା ସମାଲୋଚନା; ମନ୍ତ୍ରୀଙ୍କ ମନ୍ତବ୍ୟ ସହ ଇଣ୍ଡିଆର ମେଣ୍ଟର କୌଣସି ସମ୍ପର୍କ ନାହିଁ ବୋଲି କହିଲା ଦଳ

Published By : Prameya-News7 Bureau | September 04, 2023 IST

କୋଲାକାତା: ସନାତନ ଧର୍ମ ବିରୋଧରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରିଛି ତୃଣମୁଳ କଂଗ୍ରେସ। ଉଦୟନିଧିଙ୍କ ମନ୍ତବ୍ୟ ସହ ମେଣ୍ଟ ଦଳ ଇଣ୍ଡିଆର କୌଣସି ସମ୍ପର୍କ ନାହିଁ ବୋଲି ଟିଏମ୍‌ସି କହିଛି।  

ଟିଏମ୍‌ସି ପ୍ରବକ୍ତା କୁନାଲ ଘୋଷ କହିଛନ୍ତି “ଏଭଳି ମନ୍ତବ୍ୟକୁ ଆମେ ନିନ୍ଦା କରୁଛୁ। ସମନ୍ୱୟ ହେଉଛି ଆମ ସଂସ୍କୃତି। ଆମକୁ ଅନ୍ୟ ଧର୍ମକୁ ସମ୍ମାନ ଦେବାକୁ ହେବ। ଏଭଳି ମନ୍ତବ୍ୟ ସହ ମିଳିତ ମଳିତ ଇଣ୍ଡିଆର କୌଣସି ସମ୍ପର୍କ ନାହିଁ। ସେ ଯିଏ ହୁଅନ୍ତୁ ନା କାହିଁକି, ଯଦି ସିଏ ଏଭଳି ମନ୍ତବ୍ୟ ଦେଉଛନ୍ତି ତେବେ ଆମେ ଏହାକୁ ନିନ୍ଦା କରିବା ଉଚିତ।”

ତାମିଲନାଡୁ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ କଡ଼ା ଭାଷାରେ ନିନ୍ଦା କରିବା ସହିତ ଏହାର ମୂଳୋତ୍ପାଟନ କରିବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ। ଉଦୟନିଧି "ସନାତନ ଧର୍ମ" କୁ କରୋନାଭାଇରସ୍, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହିତ ତୁଳନା କରିଥିଲେ। ଏହିପରି ଜିନିଷକୁ(ସନାତନ ଧର୍ମ) ବିରୋଧ କରାଯିବା ଉଚିତ ନୁହେଁ, ବରଂ ଧ୍ୱଂସ କରାଯିବା ଉଚିତ୍ ବୋଲି ଉଦୟନିଧି କହିଥିଲେ। ଡିଏମକେ ନେତାଙ୍କ ମନ୍ତବ୍ୟକୁ ନେଇ ଏବେ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।

ବିଜେପି ସିଧା ମେଣ୍ଟ ଦଳ ଇଣ୍ଡିଆକୁ ଟାର୍ଗେଟ୍ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଇଣ୍ଡିଆ ଦଳ ଭୋଟ ପାଇଁ ସନାତନ ଧର୍ମକୁ ଅପମାନ କରିବା ସହିତ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଶାହ କହିଛନ୍ତି। ହିନ୍ଦୁ ଧର୍ମର ନଷ୍ଟ କରିଦେବା ବିରୋଧୀ ଦଳର ମୂଳ ଲକ୍ଷ୍ୟ ବୋଲି ଶାହ କହିଥିଲେ।  

ଘଟଣାକୁ ନେଇ ବିରୋଧ ତେଜିବା ପରେ ଉଦୟ ନୀଧି କହିଛନ୍ତି ଯେ ସେ ଦଳିତଙ୍କର ସ୍ୱର ହୋଇ କଥା କହିଛନ୍ତି। ତେଣୁ ସେ କୋର୍ଟ ହେଉ ବା ଲୋକ ଅଦାଲତ ସବୁଥିରେ ସେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ଉଦୟନିଧି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.