ଖୁବଶୀଘ୍ର ୧୦ ହଜାର ନିଯୁକ୍ତି ଦେବ ଏସବିଆଇ

Published By : Prameya-News7 Bureau | October 06, 2024 IST

internet

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଖୁବଶୀଘ୍ର ୧୦ ହଜାର କର୍ମଚାରୀ ନିଯୁକ୍ତି ଦେବ। କର୍ମଚାରୀ ଆବଶ୍ୟକତା ଓ ଏହାର ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ  ଏସ୍‌ବିଆଇ ଚଳିତ ଆର୍ଥିକ ବର୍ଷରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛି। ନିରବଚ୍ଛିନ୍ନ ଗ୍ରାହକ ସେବା ଯୋଗାଇବା ସହିତ ଏହାର ଡିଜିଟାଲ୍ ମାଧ୍ୟମକୁ ଆଉ ଟିକେ ସରଳ କରିବା ପାଇଁ ଏସ୍‌ବିଆଇ ଏ ଦିଗରେ ଯଥେଷ୍ଟ ନିବେଶ କରିଛି। ତେଣୁ ବ୍ୟାଙ୍କ ତୁରନ୍ତ କର୍ମଚାରୀ ନିଯୁକ୍ତି ଦେଇ ଏ ଦିଗରେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଚେଷ୍ଟା କରିବ।   

ପିଟିଆଇକୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ଏସ୍‌ବିଆଇ ଚେୟାରମ୍ୟାନ୍ ସିଏସ୍ ସେଟ୍ଟି। ନିକଟରେ ଉଭୟ ଏଣ୍ଟ୍ରି ଲେବଲ ଓ ହାୟର ଲେବଲରେ ୧୫୦୦ ଟେକ୍ନୋଲୋଜୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ବ୍ୟାଙ୍କର ଶ୍ରମବଳକୁ ଆହୁରି ମଜଭୁତ କରିବୁ। ଆମର ଟେକ୍ନୋଲୋଜି ନିଯୁକ୍ତି ମଧ୍ୟରେ ଡାଟା  ସାଇନ୍ସ, ଡାଟା ଆର୍‌କିଟେକ୍‌, ନେଟୱାର୍କ ଅପରେଟର ଇତ୍ୟାଦି ରହିବ। ଟେକ୍ନୋଲୋଜି ଦିଗରେ ବିଭିନ୍ନ ପଦବୀ ପାଇଁ ପ୍ରାୟ ୮,୦୦୦ ରୁ ୧୦,୦୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ। ଉଭୟ ସ୍ପେଶାଲ୍ ଓ ଜେନେରାଲ କ୍ଷେତ୍ରରେ ନିଯୁକ୍ତି ମିଳିବ ବୋଲି ଏସବିଆଇ ଚେୟାରମ୍ୟାନ୍ କହିଛନ୍ତି। 
 ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବିଆଇର ମୋଟ କର୍ମଚାରୀଙ୍କ ସଂଖ୍ୟା ୨୩୨,୨୯୬ରେ ପହଞ୍ଚିଛି। ଏଥିମଧ୍ୟରୁ ୧୧୦,୧୧୬ ଅଧିକାରୀ ଗତ ଆର୍ଥିକ ବର୍ଷ ଶେଷରେ ବ୍ୟାଙ୍କ ଗୁଡ଼ିକରେ ଥିଲେ। ବାକି ନୂଆ ନିଯୁକ୍ତ ହୋଇଛନ୍ତି। ସମୟ ବଦଳିବା ସହିତ ଟେକ୍ନୋଲୋଜୀରେ ପରିବର୍ତ୍ତନ ହେଉଛି। ଡିଜିଟାଲକରଣକୁ ସମସ୍ତେ ଗ୍ରହଣ କରୁଛନ୍ତି। ତେଣୁ ଆମେ ଆମ କର୍ମଚାରୀଙ୍କୁ ଆହୁରି ଦକ୍ଷ କରିବାକୁ ଚାହୁଁଛୁ ବୋଲି ଏସ୍‌ବାଇ ଅଧ୍ୟ ଶ୍ରୀ ଶେଟ୍ଟୀ କହିଛନ୍ତି। ସେହିପରି ଚଳିତ ଆର୍ଥିକ ବର୍ଷରେ ଏସବିଆଇ ଆଉ ୬୦୦ ବ୍ରାଞ୍ଚ ଖୋଲିବାକୁ ଟାର୍ଗେଟ୍ ରଖିଛି। ତେବେ ମାର୍ଚ୍ଚ ୨୦୨୪ ସୁଦ୍ଧା ସାରା ଦେଶରେ ଏସ୍‌ବିଆଇର ୨୨,୫୪୨ ଶାଖା ରହିଛି।

ଦେଶ ବ୍ୟାପୀ ହଜାର ହଜାର ଶାଖା ଖୋଲିବା ସହିତ  ଏସବିଆଇ ୬୫ହଜାର ଏଟିଏମ୍ ଏବଂ ୮୫ ହଜାର ବିଜନେଶ କୋରେସପଣ୍ଡେଣ୍ଟଙ୍କ ଦ୍ୱାରା ଏସବିଆଇ ଲୋକଙ୍କ ସହ ଯୋଡ଼ି ହୋଇଯାଉଛି। ଏସବିଆଇ ପାଖରେ ୫୦ କୋଟି ଗ୍ରାହକ ଅଛନ୍ତି। 

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.