ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଓକିଲାତି କରୁଛନ୍ତି । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ଖୁଲାସା କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗ କଥା ହୋଇ ଯୁଦ୍ଧ ଶେଷ କରିବା ଉପରେ କଥା ହୋଇଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ମଧ୍ୟ ଯୁଦ୍ଧ ବନ୍ଦ କରିବା ପକ୍ଷରେ ଅଛନ୍ତି । ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ଆମେରିକା ରାଷ୍ଟ୍ରପତି ଏବଂ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା ।
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମ ସହ ପୁଟିନ ବି ଯୁଦ୍ଧରେ ପ୍ରାଣ ହରାଉଥିବା ଲୋକଙ୍କ ପାଇଁ ଚିନ୍ତିତ ଅଛନ୍ତି । ସେଠାରେ ଯେଉଁମାନେ ପ୍ରାଣ ହରାଉଛନ୍ତି, ସେମାନେ ଆମର ଏବଂ ଆପଣଙ୍କ ପିଲା ପରି । ମୁଁ ଚାହୁଁଛି ଯେ ନିରୀହ ଲୋକଙ୍କ ଯୁଦ୍ଧରେ ପ୍ରାଣ ଯିବା ବନ୍ଦ ହେଉ । ଟ୍ରମ୍ପ କହିଛନ୍ତି ଯେ ଗତ ତିନି ବର୍ଷ ଧରି ଏହି ଯୁଦ୍ଧ ଚାଲିଛି, ଯଦି ମୁଁ ରାଷ୍ଟ୍ରପତି ଭାବେ ରହିଥାନ୍ତି ତେବେ ଯୁଦ୍ଧ କେବେ ବି ଆରମ୍ଭ ହୋଇନଥାନ୍ତା । ପୁଟିନଙ୍କ ସହ ମୋର ଭଲ ସମ୍ପର୍କ ରହିଛି । ପୂର୍ବତନ ରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ବାଇଡେନ୍ ଆମ ଦେଶରେ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି । ତେବେ ଏହାର ସମାଧାନ ବାହାର କରିବା ପାଇଁ କିଛି ସମୟ ଲାଗିବ ।
କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ଉପରେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ମାଧ୍ୟମରେ ବାର୍ତ୍ତା ଜାରି ରହିଛି । ମୁଁ ବ୍ୟକ୍ତିଗତ ଭାବେ ଏହି ବିଷୟରେ ଅଧିକ ଜାଣିନାହିଁ । ମୁଁ ଏହି କଥାକୁ ସ୍ପଷ୍ଟ କରିପାରିବି ନାହିଁ କି ଏହାକୁ ମନା କରିପାରିବ ନାହିଁ । ଏହା ପୂର୍ବରୁ କ୍ରେମଲିନ୍ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ରୁଷ ଶାନ୍ତି ଚାହୁଁଛି ଏବଂ ସେ ଶାନ୍ତି ପାଇଁ ଆମେରିକା ସହ କଥାବର୍ତ୍ତା କରିବାକୁ ପ୍ରସ୍ତୁତ ଅଛି ।