ନୂଆଦିଲ୍ଲୀ: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଲଗାତାର ନିଶାଣ କରିବା ପରେ ଏବେ ଆମେରିକା ରାଷ୍ଟ୍ରପତି ୟୁନିଭର୍ସିଟିକୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି । ହାର୍ଭାର୍ଡ ୟୁନିଭର୍ସିଟିର ୨.୨ ବିଲିୟନ ଡଲାର ଫଣ୍ଡିଂ ରୋକିବା ପରେ ଏବେ ଟ୍ରମ୍ପ ବିଶ୍ୱବିଦ୍ୟାଳୟକୁ କୌଣସି ପ୍ରକାର ଟିକସ ରିହାତି ହେବାକୁ ମନା କରିଛନ୍ତି । ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଟିକସ ମୁକ୍ତ ସ୍ଥିତି ଶେଷ କରିବା ଯୋଜନା କରୁଛନ୍ତି ।
ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ ପୋଷ୍ଟରେ କହିଛନ୍ତି, 'ହାର୍ଭାର୍ଡର ଟ୍ୟାକ୍ସ ଫ୍ରି ସ୍ଥିତିକୁ ଶେଷ କରିବାକୁ ଯାଉଛି । ସେ ଏଥିପାଇଁ ଯୋଗ୍ୟ ନୁହନ୍ତି ।' ତେବେ କେବେଠାରୁ ଏହାକୁ ଲାଗୁ କରିବେ ଟ୍ରମ୍ପ ତାହା ସ୍ପଷ୍ଟ କରିନାହାନ୍ତି । ଟ୍ରମ୍ପଙ୍କ ଏହି ବୟାନ ପରେ ହାର୍ଭର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ଜାନୁଆରୀରେ ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ୍ କରୁଛନ୍ତି । ବିଶ୍ୱବିଦ୍ୟାଳୟ ଆତଙ୍କବାଦୀରୁ ପ୍ରେରିତ ବିଚାରଧାରାକୁ ସମର୍ଥନ ଦେଉଥିବା ଟ୍ରମ୍ପ ଅଭିଯୋଗ କରିଥିଲେ । ୟୁନିଭର୍ସିଟିକୁ ପାଣ୍ଠି ରୋକିବା ପରେ ବିଶ୍ୱବିଦ୍ୟାଳୟ ବିରୋଧରେ ଅପରାଧିକ ତଦନ୍ତ ଆରମ୍ଭ କରାଯାଇଛି । ଏହା ବ୍ୟତୀତ ଅନେକ ଛାତ୍ରଙ୍କ ଭିସା ମଧ୍ୟ ରଦ୍ଦ କରାଯାଇଛି । ଟ୍ରମ୍ପ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ୟହୁଦୀ-ବିରୋଧୀ, ଆମେରିକା-ବିରୋଧୀ, ମାର୍କ୍ସବାଦୀ ଓ କଟ୍ଟରପନ୍ଥୀ ବମପନ୍ଥୀ ବିଚାରଧାରା କବଳରେ ରହିଛି ।
ଅନ୍ୟପଟେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ନିୟନ୍ତ୍ରଣକୁ ନେବା ପାଇଁ ଟ୍ରମ୍ପଙ୍କ ରଣନୀତିକୁ ଜୋରଦାର ବିରୋଧ କରିଛି । ବିଶ୍ୱବିଦ୍ୟାଳୟ କିଛି ଦିନ ପୂର୍ବେ କରିଥିଲା ଯେ କ୍ୟାମ୍ପସ ପରିସରରେ ଆନ୍ଦୋଳନ ସକ୍ରିୟତାକୁ ସୀମିତ କରିବା ପାଇଁ ଟ୍ରମ୍ପ ପ୍ରଶାସନର ଦାବିକୁ ପୂରଣ ହେବାକୁ ଦିଆଯିବ ନାହିଁ । ଏହାସହ ବିଶ୍ୱବିଦ୍ୟାଳୟ ଟ୍ରମ୍ପ ପ୍ରଶାସନ ବିରୋଧରେ ମକୋଦ୍ଦମା ଦାୟର କରିଥିଲା ।