ଲଣ୍ଡନରେ ଜୟଶଙ୍କର ସୁରକ୍ଷାରେ ତ୍ରୁଟି: ବ୍ରିଟେନ୍ କହିଲା, ଏଭଳି ବିଶୃଙ୍ଖଳା ଆଦୌ ଗ୍ରହଣୀୟ ନୁହେଁ

Published By : Prameya-News7 Bureau | March 06, 2025 IST

indiatoday

ନୂଆଦିଲ୍ଲୀ: ଇଂଲଣ୍ଡରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୁରକ୍ଷାରେ ତ୍ରୁଟି ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ପରେ ବ୍ରିଟେନ୍ ପ୍ରତିକ୍ରିୟା ଦେଇଛି। ଖଲିସ୍ତାନୀଙ୍କ ଏଭଳି ଆଚରଣଙ୍କୁ ବ୍ରିଟେନ୍‌ ସରକାର ଦୃଢ଼ ନିନ୍ଦା କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନରେ  ବୈଦେଶିକ ବ୍ୟାପାର ଥିଙ୍କ ଟ୍ୟାଙ୍କ ଚାଥମ ହାଉସ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଏହି ସମୟରେ କିଛି ଖଲିସ୍ତାନୀ ଉଗ୍ରବାଦୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତ୍ରିରଙ୍ଗା ପତାକା ଧରି ଜୟଶଙ୍କରଙ୍କ କାର୍ ଆଗକୁ ଚାଲି ଆସିବା ସହିତ ପତାକା ଚିରି ଦେଇଥିଲେ। 

ଘଟଣାକୁ ନେଇ ଭାରତ କଡ଼ା ଆପତ୍ତି କରିଥିଲା। ସୁରକ୍ଷାରେ ଏଭଳି ତ୍ରୁଟିକୁ ନିନ୍ଦା କରି ବ୍ରିଟେନ୍ ସରକାରଙ୍କୁ କଡ଼ା ମେସେଜ୍ ଲେଖିଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏହାପରେ ୟୁକେର ଫରେନ, କମନୱେଲ୍ଥ ଏଣ୍ଡ ଡେଭଲପମେଣ୍ଟ ଅଫିସ (FCDO) ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସାର୍ବଜନୀନ କାର୍ଯ୍ୟକ୍ରମଗୁଡ଼ିକୁ ବାଧା ଦେବାର ଯେକୌଣସି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ ବୋଲି ଏଫ୍‌ସିଡିଓ କହିଛି।

ଗୁରୁବାର ଜାରି କରିଥିବା ପ୍ରତିକ୍ରିୟାରେ ଏଫ୍‌ସିଡିଓ ଲେଖିଛି “ଗତକାଲି ବୈଦେଶିକ ମନ୍ତ୍ରୀଙ୍କ ୟୁକେ ଗସ୍ତ ସମୟରେ ଚାଥାମ ହାଉସ ବାହାରେ ଘଟିଥିବା ଘଟଣାର ଆମେ ଦୃଢ଼ ନିନ୍ଦା କରୁଛୁ। ୟୁକେ ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାରକୁ ସମର୍ଥନ କରେ, କିନ୍ତୁ ସାର୍ବଜନୀନ କାର୍ଯ୍ୟକ୍ରମଗୁଡ଼ିକୁ ଭୟଭୀତ କରିବା, ଧମକ ଦେବା କିମ୍ବା ବିପର୍ଯ୍ୟସ୍ତ କରିବାର ଯେକୌଣସି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ।”

 

ପଢନ୍ତୁ-  ୟୁଏଇରେ ୨ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ, ‘ଦୟା ଏବଂ କ୍ଷମା’ ଆବେଦନକୁ ଖାରଜ କଲେ କୋର୍ଟ

ଏଥିସହିତ ପରିସ୍ଥିତିର ମୁକାବିଲା ପାଇଁ ମେଟ୍ରୋପଲିଟାନ୍ ପୋଲିସ ଶୀଘ୍ର ପଦକ୍ଷେପ ନେଇଛି। ଆମର ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ, ଆମେ ଆମର ସମସ୍ତ କୂଟନୈତିକ ପରିଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ବିବୃତ୍ତିରେ କୁହାଯାଇଛି। 

ଏହା ପୂର୍ବରୁ ଲଣ୍ଡନରେ ହୋଇଥିବା ଏଭଳି ଆଚରଣକୁ ନେଇ ଭାରତ ବ୍ରିଟେନ୍‌ଙ୍କୁ ସମାଲୋଚନା କରିଥିଲା। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି ଉତ୍ତର ମଗାଯାଇଥିଲା। ଏଥିରେ ଲେଖାଯାଇଥିଲା “ଆମେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ୟୁକେ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନର ଫୁଟେଜ୍ ଦେଖିଛୁ। ଆମେ ଏହି ଛୋଟିଆ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କ ଉତ୍ତେଜନାମୂଳକ କାର୍ଯ୍ୟକଳାପକୁ ଆମେ ନିନ୍ଦା କରୁଛୁ। ଏପରି ଲୋକମାନଙ୍କ ଦ୍ୱାରା ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାରକୁ ନନ୍ଦନୀୟ। ଆମେ ଆଶା କରୁଛୁ ଯେ ଏପରି କ୍ଷେତ୍ରରେ ଆୟୋଜକ ସରକାର ସେମାନଙ୍କର କୂଟନୈତିକ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ପାଳନ କରିବେ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.