ନୂଆଦିଲ୍ଲୀ: ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଞ୍ଜୁରି ପରେ ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ ଉପରେ ଆମେରିକୀୟ କ୍ଷେପଣାସ୍ତ୍ର ମାଡ଼ କରିଛି । RBC ୟୁକ୍ରେନ ଅନୁସାରେ ୟୁକ୍ରେନୀ ସେନା ରୁଷ ଭିତରେ ଆକ୍ରମଣ ପାଇଁ ଦୀର୍ଘ ଦୂରଗାମୀ ଆମେରିକୀୟ ATACMS ମିସାଇଲ୍ ବ୍ୟବହାର କରିଛି । ଆମେରିକୀୟ ହତିଆର ବ୍ୟବହାର ପାଇଁ ଅନୁମତିର ଦୁଇ ଦିନ ପରେ ୟୁକ୍ରେନ ଏହି ଆକ୍ରମଣ କରିଛି । RBC ୟୁକ୍ରେନ ସମାଚାର ଏଜେନ୍ସି ସୂତ୍ର ଆଧାରରେ କହିଛି ଯେ ଆକ୍ରମଣ ରୁଷର ବ୍ରାନସ୍କ କ୍ଷେତ୍ରର କରାଚେଭରେ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନର ବାରମ୍ୱାର ଅନୁରୋଧ ସତ୍ତ୍ୱେ ଦୀର୍ଘ ସମୟ ଯାଏ ଆମେରିକା ନିଜ କ୍ଷେପଣାସ୍ତ୍ରକୁ ରୁଷ ଉପରେ ପ୍ରୟୋଗ ପାଇଁ ଅନୁମତି ଦେଉନଥିଲା । ତେବେ ରୁଷରେ ୧୦ ହଜାରରୁ ଅଧିକ ଉତ୍ତର କୋରିଆ ସୈନିକ ମୁତୟନ ଖବର ସାମନାକୁ ଆସିବା ପରେ ଆମେରିକା ଏଥିପାଇଁ ମଞ୍ଜୁରି ଦେଇଛି । ଦ ଟେଲିଗ୍ରାଫ୍ ଅନୁସାରେ ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆର ଦଖଲ ପରେ ଆମେରିକା ଏହାକୁ ଗୁରୁତର ସହ ନେଇଛି ଏବଂ ଉତ୍ତେଜନା ବଢିବା ଆଶଂକା ପ୍ରକାଶ କରିଛି । ଏହାପରେ ଏହି ହତିଆର ପ୍ରୟୋଗ ପାଇଁ ଅନୁମତି ଦେଇଛି ।
ୟୁକ୍ରେନ ଏଜେନ୍ସି କହିଛି ଯେ ଆକ୍ରମଣରେ ରୁଷ ସେନାର ମୁଖ୍ୟ ମିସାଇଲ୍ ଏବଂ ଆର୍ଟିଲରୀ ନିର୍ଦ୍ଦେଶାଳୟର ସୈନ୍ୟ ଶିବିରକୁ ଟାର୍ଗେଟ୍ କରାଯାଇଛି । ୟୁକ୍ରେନ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଅଧିକାରୀ ଏଣ୍ଡ୍ରି କୋବଲେଙ୍କୋ କହିଛନ୍ତି ଯେ ଉତ୍ତର କୋରିଆର ହତିଆର, ବୋମା, ବିମାନରୋଧୀ-ମିସାଇଲ୍ ଏବଂ ମଲ୍ଟିପଲ୍ ଲଞ୍ଚ ରକେଟ୍ ସିଷ୍ଟମ ପାଇଁ ଗୋଲାବାରୁଦ ସେଠାରେ ମହଜୁଦ ଥିଲା ।
ଏହା ପୂର୍ବରୁ ଏହି ହତିଆର ପ୍ରୟୋଗ ନକରିବା ପାଇଁ ରୁଷ ଚେତାବନୀ ଦେଇଥିଲ । ଏହାସହ ପୁଟିନ ମଙ୍ଗଳବାର ଦେଶର ପରମାଣୁ ନୀତି ମଧ୍ୟ ପରିବର୍ତ୍ତନ କରିଛନ୍ତି । ପୁଟିନ ଘୋଷଣା କରିଛନ୍ତି ଯେ ଯଦି କୌଣସି ଦେଶ, ଯାହା ପାଖରେ ପରମାଣୁ ଶକ୍ତି ନାହିଁ, କିନ୍ତୁ ଅନ୍ୟ ନ୍ୟୁକ୍ଲିୟର ଦେଶର ସହଯୋଗରେ ରୁଷ ଉପରେ ଆକ୍ରମଣ କରେ ତେବେ ଏହାକୁ ମସ୍କୋ ବିରୁଦ୍ଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ । ପୁଟିନ କହିଛନ୍ତି, ଯଦି ରୁଷ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଏ ତେବେ ଏହାର ଜବାବରେ ପରମାଣୁ ଆକ୍ରମଣ ମଧ୍ୟ କରାଯିବ ।