ନୂଆଦିଲ୍ଲୀ: ଦିଲ୍ଲୀ-ଉତ୍ତରପ୍ରଦେଶ ବର୍ଡରରେ ବଢ଼ିଲା ଚାଷୀଙ୍କ ହଲଚଲ୍ । ବଡ଼ ଆନ୍ଦୋଳନ ଲାଗି ରାଜଧାନୀ ସୀମାରେ ମେଳି ବାନ୍ଧୁଛନ୍ତି ଚାଷୀ । ନ୍ୟୁଜ୍ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ଡିସେମ୍ବର ୨ ତାରିଖ ଅର୍ଥାତ୍ ସୋମବାର ଦିନ ନୋଏଡ଼ା ସୀମାରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଆଡ଼କୁ ମୁହାଁଇବେ ହଜାର ହଜାର ଚାଷୀ । ନୂଆ ଆଇନ ଅନୁଯାୟୀ, ଶସ୍ୟର ଧାର୍ଯ୍ୟ ମୂଲ୍ୟ ଏବଂ ଅଧିକ ଲାଭାଂଶ ଦାବିରେ ଦିଲ୍ଲୀରେ ପ୍ରଦର୍ଶନ କରିବେ । ଏପଟେ ଚାଷୀଙ୍କୁ ଅଟକାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ନୋଏଡ଼ା ସୀମାରେ ପୋଲିସ ମୁତୟନ ବଢ଼ାଇ ଦିଆଯାଇଛି । ଏହା ସହିତ ଚାଷୀ ଆନ୍ଦୋଳନକୁ ନେଇ ଟ୍ରଫିକ୍ ମାର୍ଗଦର୍ଶିକା ଜାରି ହୋଇଛି ।
ସୂଚନା ଅନୁଯାୟୀ, ଆଜି ନୋଏଡା, ଗ୍ରେଟର ନୋଏଡା, ଏବଂ ଯମୁନା ବିକାଶ ପ୍ରାଧିକରଣ କ୍ଷେତ୍ରର ଭିନ୍ନ ଭିନ୍ନ ଗାଁରୁ ଚାଷୀମାନେ ଦିନ ଦ୍ବିପ୍ରହର ସୁଦ୍ଧା ମହାମାୟା ଫ୍ଲାଏଓଭର ନିକଟରେ ଏକତ୍ରୀତ ହେବେ । ପରେ ଟ୍ରାକ୍ଟର –ଟ୍ରଲିରେ ବସି ନୋଏଡା ସୀମାରେ ପହଞ୍ଚି ଦିଲ୍ଲୀ ପାଇଁ ମାର୍ଚ୍ଚ ଆରମ୍ଭ କରିବେ ହଜାର ହଜାର ସଂଖ୍ୟାରେ ଚାଷୀ । ଫଳରେ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ-ଓ୍ବେ ଟ୍ରାଫିକ୍ ଜାମ୍ ଲାଗିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ପୋଲିସ ଭିନ୍ନ ଭିନ୍ନ ବିକଳ୍ପ ରାସ୍ତାର ଡାଇଭର୍ସନ ପ୍ରସ୍ତୁତ କରିଛି । ଟ୍ରାଫିକ୍ ଡିସିପି ଲଖନ ଯାଦବ କହିଛନ୍ତି, ରାସ୍ତାରେ ଟ୍ରାଫିକ୍ ଜାମ୍ ବଢ଼ିଲେ ବିକଳ୍ପ ରୁଟ୍ ଖୋଲାଯିବ । ଏହା ପୂର୍ବ ପ୍ରସ୍ତୁତି ଅନୁଯାୟୀ, ବିଭିନ୍ନ ଛକ ମାନଙ୍କରେ ପୋଲିସ କନେଷ୍ଟବଲ ମୁତୟନ ହୋଇଛନ୍ତି ।
🚨यातायात एडवाइजरी🚨
— POLICE COMMISSIONERATE GAUTAM BUDDH NAGAR (@noidapolice) December 1, 2024
यातायात हेल्पलाइन नं०–9971009001 pic.twitter.com/cs0pgES6SG
ଦିନ ୧୨ଟା ବେଳେ ହଜାର ହଜାର ସଂଖ୍ୟାରେ ଚାଷୀ ମହାମାୟା ଫ୍ଲାଏଓଭର ନିକଟରେ ମେଳି କରିବେ । ଏହି ସ୍ଥାନରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବ । ଅନ୍ୟପଟେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଲେ ଦିଲ୍ଲୀ-ଏନସିଆରର କ୍ଷେତ୍ରରେ ଚାଲୁଥିବା ମେଟ୍ରୋ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡିସିପି ଲଖନ ଯାଦବ । ଯମୁନା ଏକ୍ସପ୍ରେସ-ଓ୍ବେରୁ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ-ଓ୍ବେ ହୋଇ ଦିଲ୍ଲୀ କିମ୍ବା ସିରସାରୁ ପରୀ ଚୌକ୍ ହୋଇ ସୁରଜପୁର ମାର୍ଗରେ ଯାଉଥିବା ସମସ୍ତ ମାଲବାହୀ ଗାଡ଼ି ଗୁଡିକ ଉପରେ ପ୍ରତିବନ୍ଧକ ଲାଗିଛି ।