ଭୁବନେଶ୍ୱର: ହକି ଇଣ୍ଡିଆ ପୁରୁଷ ଲିଗ୍ରେ ବେଦାନ୍ତ କଳିଙ୍ଗ ଲାନସର୍ସ ପରାଜୟ ସହ ଅଭିଯାନ ଆରମ୍ଭ କରିଛି । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଲିଗ୍ ମ୍ୟାଚ୍ରେ ଦଳ ୩-୧ ଗୋଲ୍ରେ ୟୁପି ରୁଦ୍ରସ ନିକଟରୁ ହାରି ଯାଇଥିଲା । ନ୍ୟୁଜିଲାଣ୍ଡ ଡିଫେଣ୍ଡର କେନ୍ ରସେଲ ଡବଲ୍ ଗୋଲ୍ କରି ୟୁପି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମ କ୍ୱାର୍ଟରର ଚତୁର୍ଥ ମିନିଟ୍ରେ ୟୁପି ରଦ୍ରସ୍ ଗୋଲ୍ ସୁଯୋଗ ହାତଛଡ଼ା କରିଥିଲା । ସୁଦୀପ ଚିରମାକୋଙ୍କ ସଟ୍ ଗୋଲ୍ ପୋଷ୍ଟ ବାହାରକୁ ଚାଲିଯାଇଥିଲା । ଏହାପରେ କଳିଙ୍ଗ ଲାନସର୍ସ ସଂଗଠିତ ହୋଇ ଆକ୍ରମଣ ଜୋରଦାର କରିଥିଲା । ୧୩ମିନିଟ୍ରେ ଏନରିକ୍ ଗୋଞ୍ଜାଲେଜ ଗୋଟିଏ ଦର୍ଶନୀୟ ଗୋଲ୍କରି କଳିଙ୍ଗ ଲାନସର୍ସକୁ ୧-୦ରେ ଅଗ୍ରଣୀ ପ୍ରଦାନ କରିଥିଲେ ।
ପରବର୍ତ୍ତୀ ୨ମିନିଟ୍ ମଧ୍ୟରେ ଦଳକୁ ପ୍ରଥମ ପେନାଲ୍ଟି ସୁଯୋଗ ମିଳିଥିଲା । ମାତ୍ର ଆଲେକଜାଣ୍ଡର ହେଣ୍ଡ୍ରିକ୍ସଙ୍କ ପ୍ରୟାସ୍ ବୃଥା ଯାଇଥିଲା । ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରିନଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଘରୋଇ କଳିଙ୍ଗ ଲାନସର୍ସ ଅଗ୍ରଣୀ ବଜାୟ ରଖିଥିଲା । ତୃତୀୟ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ ଘଟାଘୋଟ ଲଢ଼େଇ ଦେଖିବାକୁ ମିଳିଥିଲା । ଏହି ଭାଗର ଅନ୍ତିମ ମିନିଟ୍ରେ ୟୁପି ରୁଦ୍ରସ୍କୁ ପ୍ରଥମ ପେନାଲ୍ଟି ସୁଯୋଗ ମିଳିଥିଲା । କେନ୍ ରସେଲ ଏହାକୁ ଗୋଲ୍ରେ ରୂପାନ୍ତରିକ କରିବାରେ ହେଳା କରିନଥିଲେ । ସ୍ଥିତି ୧-୧ରେ ବରାବର ରହିଥିଲା । ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଆରମ୍ଭରୁ ୟୁପି ରୁଦ୍ରସକୁ ଆଉ ଏକ ପେନାଲ୍ଟି ମିଳିଥିଲା । ମାତ୍ର କଳିଙ୍ଗ ଲାନସର୍ସ ଗୋଲ୍କିପର କ୍ରିଷନ ବାହାଦୂର ପାଠକ ଏହାକୁ ବିଫଳ କରାଇଥିଲେ । ପରବର୍ତ୍ତୀ ମିନିଟ୍ରେ ସୁଦୀପ ଚିରମାକୋ ଗୋଟିଏ ଗୋଲ୍ କରି ୟୁପିକୁ ୨-୧ରେ ଆଗୁଆ କରାଇଥିଲେ । କଳିଙ୍ଗ ଲାନସର୍ସ ଆଶା ମଉଳି ଯାଇଥିଲା । ଦଳ ଶେଷ ୩ମିନିଟ୍ ପୂର୍ବରୁ ଗୋଲ୍ କିପରଙ୍କ ବଦଳରେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରିଥିଲା । ଅନ୍ତିମ ମିନିଟ୍ରେ ୟୁପି ଏକ ପେନାଲ୍ଟି ସୁଯୋଗ ପାଇଥିଲା । କଳିଙ୍ଗ ଲାନସର୍ସର ଗୋଲ୍ କିପର ନଥିବାରୁ ପ୍ରତିପକ୍ଷ ଖେଳାଳି କେନ୍ ରସେଲ ସହଜରେ ବଲ୍କୁ ଗୋଲପୋଷ୍ଟରେ ପୁରାଇ ଦେଇଥିଲେ । ଦଳ ୩-୧ରେ ବିଜୟୀ ହାସଲ କରିଥିଲା ।