ନୂଆଦିଲ୍ଲୀ ୦୯।୦୨: ଆମେରିକାର ନୂଆ ରାଷ୍ଟ୍ରପତି । କିଛି ନା କିଛି କାରଣରୁ ରହୁଛନ୍ତି ଖୁବ୍ ଚର୍ଚ୍ଚାରେ । ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପରେ ଅନେକ ନିର୍ଦ୍ଦେଶନାମାରେ କରିଛନ୍ତି ସ୍ୱାକ୍ଷର । ଯାହା ଉପରେ ଦେଶରେ ସ୍ୱର ଉଠୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଟ୍ରମ୍ପଙ୍କ ସୁରକ୍ଷା କବଚ ପାଲଟିଛନ୍ତି ଜଣେ ମହିଳା ।
ଟ୍ରମ୍ପଙ୍କ ପାଇଁ ଆସୁଥିବା ପ୍ରତ୍ୟକ ଶବ୍ଦର ସେ ଦେଉଛନ୍ତି କଡା ଜବାବ । ଏହି ଯୁବତୀଙ୍କ ନାଁ ହେଉଛି କାରୋଲିନ୍ ଲେଭିଟ୍ । ସେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ପ୍ରେସ୍ ସେକ୍ରେଟାରୀ ରହିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କାରୋଲିନଙ୍କ ବୟସ ହେଉଛି ମାତ୍ର ୨୭ ବର୍ଷ । ଆଉ କାରୋଲିନ୍ ହେଉଛନ୍ତି ହ୍ବାଇଟ ହାଉସ୍ର ପ୍ରଥମ ସବୁଠାରୁ ୟଙ୍ଗ ସେକ୍ରେଟାରୀ । ଯାହା ଇତିହାସରେ ପ୍ରଥମ ।
ପ୍ରେସ୍ ସେକ୍ରେଟାରୀ କାରୋଲିନ୍ ଲେଭିଟ୍ ପ୍ରତ୍ୟେକ ପ୍ରସଙ୍ଗରେ ଟ୍ରମ୍ପଙ୍କ ଢାଲ ଭାବରେ ଠିଆ ହୁଅନ୍ତି ଏବଂ ଶବ୍ଦର ତୀରବାଣ କରନ୍ତି । ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୪୫ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିବା ପରେ କାରୋଲିନ ୯୫ ମିନିଟର ଭାଷଣ ଦେଇଥିଲେ । ଆଉ ଏଥିରେ ସେ ସମ୍ପୂର୍ଣ୍ଣ ଭାବରେ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। କାରୋଲିନ କହିଛନ୍ତି ଯେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ପରେ ୯୫ ପ୍ରତିଶତ ଅବୈଧ ବର୍ଡର କ୍ରସିଂ ବନ୍ଦ ହୋଇଯାଇଛି।
କାରୋଲିନ୍ ଲେଭିଟ୍ ନ୍ୟୁ ହାମ୍ପଶାୟାରର ସେଣ୍ଟ ଏସଲମ୍ କଲେଜରେ କମ୍ୟୁନିକେସନ ଏବଂ ରାଜନୀତି ବିଜ୍ଞାନରେ ଅଧ୍ୟୟନ କରିଥିଲେ । କାରୋଲିନ୍ ଟ୍ରମ୍ପଙ୍କ ୨୦୨୪ ରାଷ୍ଟ୍ରପତି ଅଭିଯାନ ପାଇଁ ଜାତୀୟ ପ୍ରେସ୍ ସେକ୍ରେଟାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କାରୋଲିନ୍ ୨୦୨୩ ରେ ନିକୋଲାସ୍ ରିସିଓଙ୍କୁ ବିବାହ କରିଥିଲେ । ଦମ୍ପତିଙ୍କ ମଧ୍ୟରେ ୩୨ ବର୍ଷର ବୟସର ବ୍ୟବଧାନ ରହିଛି । କାରୋଲିନଙ୍କ ବୟସ ୨୭ ବର୍ଷ ଏବଂ ତାଙ୍କ ସ୍ୱାମୀଙ୍କ ବୟସ ୫୯ ବର୍ଷ। ଯେଉଁଥିପାଇଁ ସେ ଚର୍ଚ୍ଚାରେ ରହିଥିଲେ ।
କାରୋଲିନ୍ଙ୍କ କହିବା ଅନୁଯାୟୀ ସେମାନେ ଏକ ପଲିଟିକାଲ୍ ଇଭେଣ୍ଟରେ ଜଣେ କମନ୍ ଫ୍ରେଣ୍ଡଙ୍କ ଜରିଆରେ ସେମାନଙ୍କର ଦେଖାସାକ୍ଷାତ ହୋଇଥିଲା । ସେମାନଙ୍କର ସମ୍ପର୍କ ସବୁବେଳେ ଗୋପନୀୟ ରଖାଯାଇଥିଲା । ୨୦୨୩ରେ ସେମାନେ ଖ୍ରୀଷ୍ଟମାସରେ ନିର୍ବନ୍ଧ କରିଥିଲେ । ତେବେ ଜୁଲାଇ ୨୦୨୪ରେ କାରୋଲିନ୍ ଏବଂ ନିକୋଲାସ୍ ସେମାନଙ୍କର ପ୍ରଥମ ସନ୍ତାନ ନିକୋର ଜନ୍ମ ପୂର୍ବରୁ ଗୁପ୍ତ ବିବାହ କରିଥିଲେ। ତେବେ ଟ୍ରମ୍ପଙ୍କ ସୁରକ୍ଷାକବଚ ହୋଇ ଏବେ ରହିଛନ୍ତି ଖୁବ୍ ଚର୍ଚ୍ଚାରେ ।