ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ, ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ

Published By : Prameya-News7 Bureau | December 31, 2024 IST

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ୍‌ ଚର୍ଚ୍ଚିତ ଥିଲା ୨୦୨୪। ରାଜନୈତିକ ହେଉକି ଆପରାଧିକ ଅନେକ ପ୍ରସଙ୍ଗକୁ ନେଇ ହୋଇଛି ଖୁବ୍ ଚର୍ଚ୍ଚା। ଯେଉଁଥରୁ ଗୋଟିଏ ହେଉଛି ୨୦୨୪ରେ ଭିଜିଲାନ୍ସର ଧରପଗଡ଼। ଅନେକ ବଡ଼ ବଡ଼ ବାବୁଙ୍କୁ କଳାଧନ ଚିଠା ସାମ୍‌ନାକୁ ଆଣିଛି ଭିଜିଲାନ୍ସ। ଏହାରି ମଧ୍ୟରେ ମଙ୍ଗଳବାର ଭିଜିଲାନ୍ସ ଜାରି କରିଛି ୨୦୨୪ କେସ ରିପୋର୍ଟ କାର୍ଡ। ଯେଉଁଥିରେ ରହିଛି ପୂରା ବର୍ଷକର ଚଢ଼ାଉ ଓ ମାମଲା । ରିପୋର୍ଟ ଅନୁଯାୟୀ, ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୋଟ୍ ୧୮୧ ସରକାରୀ ବାବୁ । ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ । ବର୍ଷକରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ । ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ବାବୁ । ୧୮୧ ଜଣଙ୍କ ମଧ୍ୟରୁ ୫୦ ଜଣ କ୍ଲାସ୍‌ ଓ୍ବାନ୍‌ ଅଫିସର । ଜବତ ହୋଇଛି ୧୩୧ କୋଟିର ଆୟ ବହିର୍ଭୂତ ସମ୍ପତ୍ତି । ୭୯୨ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ ହୋଇଛି । ୨୫ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । 

ଏଭଳି ରହିଛି ତଥ୍ୟ

ରିପୋର୍ଟରେ ଦିଆଯାଇଥିବା ତଥ୍ୟକୁ ଦେଖିଲେ, ମାମଲା ରୁଜୁ ହୋଇଥିବା ଅଫିସରମାନଙ୍କର ମଧ୍ୟରେ ରହିଛନ୍ତି ୫୦ କ୍ଲାସ ୧ ସରକାରୀ ଅଧିକାରୀ , ୬ ଜଣ ମୁଖ୍ୟ ଯନ୍ତ୍ରୀ, ଅବକାରୀ ସହକାରୀ ଆୟୁକ୍ତ, ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦ୍ଦେଶକ, ସିଟିଜିଏସଟିର ଉପ ଆୟୁକ୍ତ, ଜେଲ ଅଧିକ୍ଷକ, ଜଣେ ଉପ ଜିଲ୍ଲାପାଳ, ୨ ଜଣ ତହସିଲଦାର, ୨ ଜଣ ବିଡିଓ, ଜଣେ ସିଏଓ ରହିଛନ୍ତି। 

୬୦ ଟି ଆୟ ବହିର୍ଭୁତ ମାମଲା ରୁଜୁ ହୋଇଥିବା ବେଳେ ମୋଟ ୧୩୧ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ୯୬ ଟି ଲାଞ୍ଚ ନେବା ମାମଲା ରୁଜୁ ହୋଇଥିବା ବେଳେ ୯୯ ଜଣ ସରକାରୀ ଅଧିକାରୀ ମାନଙ୍କ ସହ ୧୧୫ ଜଣଙ୍କ ଠାରୁ ୧୯.୨୫ ଲକ୍ଷ ଲାଞ୍ଚ ବାବଦ ଟଙ୍କା ଜବତ କରାଯାଇଛି।  ବିଭିନ୍ନ କେସରେ ମୋଟ  ୪୮୩ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ୭୯୨ ଟି ବ୍ୟକ୍ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ୧୯୪ଟି ବିଲଡିଂ ଓ ପ୍ରୋଜେକ୍ଟକୁ ୭୨ ଟି କେସରେ ଠାବ କରାଯାଇଥିବା ବେଳେ ଏହାର ମୋଟ ମୂଲ୍ୟ ରହିଛି ୨୭.୦୩ କୋଟି ଟଙ୍କା।

୩୦୭ଟି କେସର ତଦନ୍ତ ସରିଥିବା ବେଳେ ଏହାର ମାମଲା ଶେଷ କରିବା ହାର ରହିଛି ୧୫୪ ପ୍ରତିଶତ। ୨୦୨୪ ମସିହାରେ ୧୦୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହାର ରହିଛି ୮୦ ପ୍ରତିଶତ। ଏହା ସହ ଦୋଷୀ ସାବ୍ୟସ୍ତ ହୋଇଥିବା ୨୫ ଜଣ ଦୋଷୀ ସାବ୍ୟସ୍ତ ଙ୍କୁ ଚାକିରି ରୁ ବହିସ୍କାର କରାଯାଇଛି। ପ୍ରଥମ ଥର ପାଇଁ ଫରେଷ୍ଟ କେସ ରେ ବାଘ ଛାଲ ଜବତ କରାଯାଇଛି। ସେହିଭଳି ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷ ଟଙ୍କା ଦେବା ବେଳେ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ସେଲ୍ ଏସ ପି ଏମ୍ ରାଧା କ୍ରୀଷ୍ଣନ୍।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.