ସମ୍ବଲପୁର: ଅନେକ ସମୟରେ ବିବାଦ ରହିଆସିଥିବା ବୁର୍ଲା ଭିସୁଟ୍ରେ ଏବେ ପୁଣି ଚର୍ଚ୍ଚାରେ। ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ହୀରାକୁଦ ଜଳ ଭଣ୍ଡାରର ନିଷିଦ୍ଧ ଅଞ୍ଚଳରେ ବୁଡ଼ି ପ୍ରାଣ ହରାଇବା ଘଟଣାରେ, ବଡ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏହି ଘଟଣାରେ ୬ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଥାଉକି, ଏପ୍ରିଲ ୧୦ ତାରିଖରେ ଭିସୁଟ୍ର ଜଣେ ଛାତ୍ରୀ ହୀରାକୁଦ ଜଳଭଣ୍ଡାରରେ ଫିସରି ଅଞ୍ଚଳରେ ବୁଡ଼ି ଯାଇ ପ୍ରାଣ ହରାଇଥିଲେ। ଯେତେବେଳେକି ଏହା ଏକ ନିଷିଦ୍ଧ ଅଞ୍ଚଳ ଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଶାଶ୍ୱତୀ ଭୋଇ ଏବଂ ତାଙ୍କର ଆଉ ୭ ବନ୍ଧୁ ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ହେଲେ ଗାଧୋଉଥିବା ସମୟରେ ଅସବଧାନତାରୁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଥିଲା। ଆଉ ଏହି ଘଟଣାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୫ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ। ବିଶ୍ବବିଦ୍ୟାଳୟ କୁଳପତି କହିଛନ୍ତି ‘‘ ଯେଉଁ ୬ ଛାତ୍ରୀମାନଙ୍କୁ ଦଣ୍ଡିତ କରାଯାଇଛି। ସେମାନେ ମଦ ପିଇ ଘଟଣାସ୍ଥଳକୁ ଯାଇଥିଲେ। ବାହାରୁ ମଦ ଆଣି ପିଇଥିବା କଥାକୁ ସ୍ବୀକାର କରିଛନ୍ତି। ସେମାନେ ଦୁଇଟି ଭୁଲ କରିଛନ୍ତି। ପ୍ରଥମତଃ ନିଷିଦ୍ଧ ଅଞ୍ଚଳକୁ ଯାଇଥିଲେ। ଦ୍ୱିତୀୟରେ ମଦ ପିଇ ଥିଲେ। ସେଥିପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇଛି।’’ ଭବିଷ୍ୟତରେ କିପରି ଏଭଳି ଘଟଣା ଙ୍ଘଟିବ ନାହିଁ ସେଥିପଇଁ ଯତ୍ନବାନ ଥିବା କହିଛନ୍ତି ଭିସୁଟ କୁଳପତି।
ଖାଲି ସେତିକି ନୁହେଁ, ସୋମବାର ଭିସୁଟ କର୍ତ୍ତୃପକ୍ଷ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କମ୍ ଉପସ୍ଥିତି ସହ ବିଶୃଙ୍ଖଳିତ ଆଚରଣ କାରଣରୁ ୧୦୦ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ । କିଛି ଛାତ୍ରଙ୍କ ଗ୍ରେଡ କମାଇ "ଏଫ" କରିବାକୁ ନିଷ୍ପତ୍ତି ହେବା ସହ ୫୦୦୦ ଟଙ୍କା ଫାଇନ୍ ହୋଇଛି । ମେଡାଲ ଏବଂ ଏକାଡେମୀ ପୁରସ୍କାରକୁ ବାଦ ସହ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।