ପୁଣି ଯୁଦ୍ଧର ନିଆଁରେ ଜଳିଲା ମଧ୍ୟପ୍ରାଚ୍ୟ, ଗାଜାରେ ଏ ପର୍ଯ୍ୟନ୍ତ ୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Published By : Prameya-News7 Bureau | March 23, 2025 IST

ଦୀର ଅଲ-ବଲାହ (ଗାଜାଷ୍ଟ୍ରିପ୍) ୨୩।୩: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ସମାପ୍ତ ହେବା ପରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ଯୁଦ୍ଧ ଏବେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଭୀଷଣ ରୂପ ଧାରଣ କରିବାକୁ ଯାଉଛି। ଗତ ୫ ଦିନରେ ଗାଜାରେ ଇସ୍ରାଏଲ ଆକ୍ରମଣ ଯୋଗୁ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ଲେବାନନରେ ତାଜା ଆକ୍ରମଣ ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବାର ସୂଚନା ଆସୁଛି।  

ଗାଜା ଉପରେ ଆକ୍ରମଣର ଜବାବରେ ହମାସ ଆତଙ୍କବାଦୀ, ୟେମେନର ହୁତୀ ଓ ଲେବାନନର ହିଜବୁଲ ଯୋଦ୍ଧା ମିଳିତ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି। ଏଥି ମଧ୍ୟରେ ଗାଜା ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଦ୍ଧରେ ମୃତ୍ୟୁ ସମ୍ପର୍କିତ ଡରାଇବା ଭଳି ତଥ୍ୟ ଜାରି କରିଛି। ତାଜା ସୂଚନା ଅନୁସାରେ ଇସ୍ରାଏଲ ଓ ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ପାଲେଷ୍ଟେନୀୟଙ୍କ ମୃତ୍ୟୁ ହେଲାଣି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଯୁଦ୍ଧରେ ଏଯାଏଁ ୧,୧୩, ୦୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। 

ରବିବାର ଜାରି ହୋଇଥିବା ଏହି ସୂଚନାରେ ସେହି ୬୭୩ ମୃତକଙ୍କୁ ମଧ୍ୟ ସାମିଲ କରାଯାଇଛି ଯେଉଁମାନେ ଗତ ସପ୍ତାହରେ ଯୁଦ୍ଧବିରାମ ସମାପ୍ତି ପରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ଅଚାନକ ବିମାନ ଆକ୍ରମଣରେ ନିହତ ହୋଇଥିଲେ।  ତେବେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କେତେ ସାଧାରଣ ଜନତା ଓ କେତେ ସୈନିକ ତାର ସ୍ପଷ୍ଟ ସୂଚନା ନାହିଁ। ଅନେକ ମାସର ଯୁଦ୍ଧ ପରେ ଶାନ୍ତି ଆସିଥିଲା, ହେଲେ ଅଚାନକ ପରିସ୍ଥିତି ଅଶାନ୍ତ ହୋଇପଡିଛି। ଗାଜା ଉପରେ ଆକ୍ରମଣକୁ ବିରୋଧ କରି ୟେମେନର ହୁତୀ ବିଦ୍ରୋହୀମାନେ ଇସ୍ରାଏଲ ଉପରକୁ ଲଗାତାର ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। 

ଏହି ଆକ୍ରମଣ ପଛରେ ଇରାନର ହାତ ଥାଇପାରେ ବୋଲି ଇସ୍ରାଏଲ ଏବେ ସନ୍ଦେହ କରୁଛି। ଏଣୁ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ହେଉଛି। ସେହିପରି ଦକ୍ଷିଣ ଲେବାନନରୁ ଇସ୍ରାଏଲ ଉପରକୁ ରକେଟ ଓ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଉଛି। ଏଣୁ ଇସ୍ରାଏଲରେଏବେ ଲଗାତାର ବିମାନ ଆକ୍ରମଣ ସାଇରନ ବାଜୁଛି। ଜବାବରେ ଇସ୍ରାଏଲ ସେନା ହମସା ଓ ହିଜବୁଲ୍ଲା ସମେତ ହୁତୀଙ୍କ ଉପରକୁ ମଧ୍ୟ ଆକ୍ରମଣ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.