ଢେଙ୍କାନାଳ ୧୯।୧୨: ସ୍କୁଲ ପଛ ପଟରୁ ସ୍କୁଲ ୱାଚମ୍ୟାନର ମୃତଦେହ ଉଦ୍ଧାର । ଗଛରେ ନିଜ ଗାମୁଛା ବେକରେ ରଶି ଲାଗିଥିବା ଅବସ୍ଥାରେ ମୃତଦେହ ଠାବ ହୋଇଛି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ମୃତକ ପରିବାର ହତ୍ୟା ଅଭିଯୋଗ ଆଣିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ହାଇସ୍କୁଲର ଏପରି ଅଭାବନୀୟ ଘଟଣାକୁ ନେଇ ହତ୍ୟା ସନ୍ଦେହ କରାଯାଇଛି । ମୃତ ଯୁବକ ଜଣଙ୍କ କାଇମାଟି ଜୁଆଙ୍ଗ ସାହିର ସନ୍ତୋଷ ପ୍ରଧାନ ବୋଲି ଜଣାପଡିଛି । ସନ୍ତୋଷ କାଇମାଟି ସ୍କୁଲରେ ୱାଚ ମ୍ୟାନ ଭାବେ କାମ କରନ୍ତି । ବୁଧବାର ଠାରୁ ସ୍କୁଲକୁ ଯାଇ ଆଉ ରାତିରେ ଘରକୁ ଫେରିନଥିଲେ । ଫଳରେ ପରିବାର ପକ୍ଷରୁ ଖୋଜା ଖୋଜି କରିଥିଲେ । ତେବେ ଗୁରୁବାର ଅପରାହ୍ନରେ ସ୍କୁଲ ପଛ କାଜୁ ଜଙ୍ଗଲରୁ ସନ୍ତୋଷଙ୍କ ନିଜ ଗାମୁଛା ବେକରେ ଲାଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ମୃତ ସନ୍ତୋଷଙ୍କ ବେକରେ ଗାମୁଛା ଲାଗି ତାଙ୍କ ଗୋଡ ତଳେ ଘୁଷୁଡିଥିବା ସହିତ ଆଣ୍ଠେଇ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏହି କାଇମାଟି ହାଇସ୍କୁଲରେ ୱାଚମ୍ୟାନ ନିଯୁକ୍ତି ନେଇ ତାଙ୍କ ସାହିର ଜଣେ ଆବେଦନକାରୀଙ୍କ ସହିତ ସନ୍ତୋଷଙ୍କର ପାଟିତୁଣ୍ଡ ହୋଇଥିବାରୁ ଏହି ମୃତ୍ୟୁ ପଛେ ଶତ୍ରୁତାକୁ ନେଇ ହତ୍ୟା ଅଭିଯୋଗ ଉଠାଇଛି ପରିବାର । ଖବର ପାଇ ସଦର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
You Can Read:
ବିଲରେ ଧାନ କାଟୁଥିବା ସମୟରେ ବୃଦ୍ଧଙ୍କୁ ଦଳିଦେଲା ହାତୀ