ଭୁବନେଶ୍ବର ୨୭/୧: ଗତକାଲି ମୋର ଭୁବନେଶ୍ବର ଘରେ ଚୋରି ହୋଇଛି । ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ । ବରଂ ସମସ୍ତ ଭୁବନେଶ୍ବର ବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ ସେୟାର କରି ଏମିତି ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର ଆମ ସାହି ଓ ଆମ ସଂପଦ ବିପଦରେ । ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ । ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ଅପିଲ କରିଛନ୍ତି ନିରଞ୍ଜନ ।
ରବିବାର ରାଜଧାନୀରେ ସବୁଠି ଥିଲା ଗୋଟିଏ ଚର୍ଚ୍ଚା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି ।ଶନିବାର ରାତି ପ୍ରାୟ ୨ଟା ୪୦ ମିନିଟ୍ । ନିରଞ୍ଜନଙ୍କ ନୟାପଲ୍ଲୀ IRC ଭିଲେଜ N-2 ସ୍ଥିତ ଘର । ଯେଉଁ ଘରେ ପୁଅ ବୋହୂ ଓ ନାତିଙ୍କ ସହ ନିରଞ୍ଜନ ସପରିବାର ରହନ୍ତି । ହାଇ ସିକ୍ୟୁରିଟି ଜୋନ୍ରେ ଥିବା ଘରେ ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତ ପଶି କଳାକନା ବୁଲାଇ ଦେଇଥିଲେ । ଲୁଟିନେଇଯାଇଥିଲେ ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି ଓ ନଗଦ ଅଢେଇ ଲକ୍ଷ ଟଙ୍କା । ମାଷ୍ଟର ବେଡରୁମରେ ପଶି ଲୁଟିନେଲା ସବୁ କିଛି । ଯାହାର ପ୍ରତିଟି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଗତ ରାତିରେ ପୁଅ –ବୋହୂ ସାତପଡା ଯାଇଥିବାବେଳେ ଦୁର୍ବୃତ୍ତ ଘରେ ପଶି ଲୁଟ୍ପାଟ୍ କରିଥିଲେ । ଘରେ ସିକ୍ୟୁରିଟି ଗାର୍ଡ ଥିଲେ । ନିରଞ୍ଜନ ପଟ୍ଟନାୟକ ମଧ୍ୟ ଫାଷ୍ଟ ଫ୍ଲୋରରେ ଶୋଇଥିଲେ । ହେଲେ ଲୁଟ୍ର ସୁରାକ ପାଇନଥିଲେ ।
ଏଠି ପ୍ରଶ୍ନ ଉଠୁଛି ଘରେ ଥିବା ସିକ୍ୟୁରିଟି ଗାର୍ଡ ଓ ଫାଷ୍ଟ ଫ୍ଲୋରରେ ଶୋଇଥିବା ନିରଞ୍ଜନ କେମିତି ଜାଣିପାରିଲେନି । ଚାରିଆଡେ ସିସିଟିଭି ଓ ସିକ୍ୟୁରିଟି ଗାର୍ଡ ଥିବା ଜାଣି ଜଣେ ଭିଭିଆଇପିଙ୍କ ଘରେ ପଶିବାକୁ ସାହସ କଲା କେମିତି ସାଧାରଣତନ୍ତ୍ର ଦିବସ ପାଇଁ ରାତି ତମାମ ସହର ସାରା ପୋଲିସ ପାଇଁତରା ମାରୁଥିବା ଜାଣି ବି ନିର୍ଭୟରେ ଘଣ୍ଟାଏ ଧରି କେମିତି ଲୁଟ୍ପାଟ୍ କରୁଥିଲା ଚୋର ଏଭଳି ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଚଳାଇଛନ୍ତି ପୋଲିସ କମିଶନର ଏବଂ ଉଭୟ କଟକ ଓ ଭୁବନେଶ୍ବର ଡିସିପି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍ବେଗ ପ୍ରକାଶ କରିବା ସହ ଫୋନ କରି ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଘଟଣାକୁ ୨୪ଘଣ୍ଟାରୁ ଅଧିକ ବିତିଲାଣି ଏଯାଏ ଲୁଟେରାର ପତ୍ତା ପାଇନି ପୋଲିସ । ଲୁଟେରାକୁ ଧରିବାକୁ ଜି-ଜାନ୍ ଲଗାଇଦେଇଛି ପୋଲିସ । ଭୁବନେଶ୍ବର ଡିସିପି କହିଛନ୍ତି ସୁରାକ ମିଳିଛି ଖୁବଶୀଘ୍ର ଧରାପଡିବ ଚୋର ।