ନୂଆଦିଲ୍ଲୀ ୨।୨: ମିଡିଲ କ୍ଲାସ୍ ଓ ସାଲାରିଡ କ୍ଲାସ୍ ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ବଡ଼ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁସାରେ ଏବେ ବାର୍ଷିକ ୧୨ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ଟଙ୍କାଟିଏ ବି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଅନ୍ୟପଟେ ଜାରି ହୋଇଥିବା ନୂଆ ଟ୍ୟାକ୍ସ ସ୍ଲାବକୁ ଦେଖିଲେ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୁନ୍ୟ ଟ୍ୟାକ୍ସ, ୪ରୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଓ ୮ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁ ହେଉଥିବାର ଦେଖାଯାଉଛି।
ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। ଘୋଷଣା ଅନୁସାରେ ଯଦି ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟ୍ୟାକ୍ସ ନାହିଁ ତେବେ ୪ରୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟ୍ୟାକ୍ସ, ୮ରୁ ୧୨ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ କାହିଁକି ଦେଖାଯାଉଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ତେବେ ଆସନ୍ତୁ ବିସ୍ତୃତଭାବେ ବୁଝିବା ବାସ୍ତବ କଥା କଣ ଓ ଏହାକୁ ଆପଣ କିପରି ଦେଖିବେ?
ସାରା ଖେଳ ଟ୍ୟାକ୍ସ ରିବେଟର
ସରକାର ଆୟକର ଅଧିନିମର ଧାରା ୮୭ଏ ଅନୁସାରେ ରିବେଟର ବ୍ୟବସ୍ଥା ରହିଛି। ଏହାର ଅର୍ଥ ହେଉଛି କୌଣସି ସ୍ଲାବରେ ଯଦି ଆପଣଙ୍କ ଆୟର ପୁରା ଟ୍ୟାକ୍ସ ଗଣନା ହେଉଥାଏ, ଏହା ଉପରେ ଆପଣଙ୍କୁ କିଛି ରିବେଟ ମିଳିବ। ଏଠାରେ ଆମେ ଆପଣଙ୍କୁ ଉଦାହରଣ ସହ ବୁଝାଇ ଦେଉଛୁ ଯଦି ଆପଣଙ୍କ ବାର୍ଷିକ ଆୟ ୪ରୁ ୮ଲକ୍ଷ ମଧ୍ୟରେ ହେଉଛି ତେବେ ଆପଣଙ୍କ ଉପରେ ୨୦ ହଜାର ଟଙ୍କାର ଟ୍ୟାକ୍ସ ହେଉଛି। ସେହିପରି ଯଦି ଆପଣଙ୍କ ବେତନ ୮ରୁ ୧୨ ଲକ୍ଷ ଟଙ୍କା ମଧ୍ୟରେ ତେବେ ଆପଣଙ୍କ ବାର୍ଷିକ କର ୪୦ ହଜାର ଟଙ୍କାର ହେବ। ସେହି ଅନୁସାରେ ଆପଣଙ୍କ ଉପରେ ମୋଟ କର ୬୦ ହଜାର ଟଙ୍କା ହେଉଛି। ତେବେ ଆୟକର ଧାରା ୮୭ଏ ଅନୁସାରେ ଏବେ ଟ୍ୟାକ୍ସ ରିବେଟକୁ ବାର୍ଷିକ ୧୨ଲକ୍ଷ ଟଙ୍କାର ଆୟ ଉପରେ ୬୦ ହଜାର କରିଦିଆଯାଇଛି। ଅର୍ଥାତ ଆପଣ ବାର୍ଷିକ ୪ରୁ ୮ ଲକ୍ଷ ଆୟ କରନ୍ତୁ କି ୮ରୁ ୧୨ ଲକ୍ଷ ଆୟ କରନ୍ତୁ ଆପଣଙ୍କୁ ଟଙ୍କାଟିଏ ବି ଆୟକର ଦେବାକୁ ପଡିବ ନାହିଁ।
ଟ୍ୟାକ୍ସ ରିବେଟ କ’ଣ?
ଟ୍ୟାକ୍ସ ରିବେଟ ଏକ ଜରୁରୀ ଆର୍ଥିକ ପ୍ରାବଧାନ। ଯାହା ଟ୍ୟାକ୍ସ ପେୟରଙ୍କୁ ସେମାନଙ୍କ ଆୟ ଉପରେ ଲାଗୁଥିବା କରରୁ ଆଶ୍ୱସ୍ତ କରିଥାଏ। ଏହି ପ୍ରାବଧାନ ଖାସ କରି ସେହି ଲୋକଙ୍କ କ୍ଷେତ୍ରରେ ଲାଗୁ ହୁଏ ଯେଉଁମାନଙ୍କ ବାର୍ଷିକ ଆୟ ଏକ ନିଶ୍ଚିତ ସୀମାଠାରୁ କମ। ଭାରତରେ ଏହି ବ୍ୟବସ୍ଥା ଇନକନ ଟ୍ୟାକ୍ସ ଆକ୍ଟ ଧାରା ୮୭ଏ ରେ ହୋଇଥାଏ।
ଟ୍ୟାକ୍ସ ରିହାତି ଓ ରିବେଟରେ ଅନ୍ତର କ’ଣ?
ଟ୍ୟାକ୍ସ ରିହାତି ସିଧାଶଳଖ ଆପଣଙ୍କ ଆୟ ଉପରେ ଲାଗୁ ହୁଏ ଓ କିଛି ଆୟ ସ୍ତର ଆପଣଙ୍କୁ ପୁରାପୁରି ଟ୍ୟାକ୍ସ ମୁକ୍ତ ଥାଏ। ତେବେ ଟ୍ୟାକ୍ସ ରିବେଟ ସେତେବେଳେ ଲାଗୁ ହୁଏ ଯେତେବେଳେ ଆପଣଙ୍କ ଆୟ ଏକ ନିଶ୍ଚିତ ସୀମାଠାରୁ ଅଧିକ ହୋଇଥାଏ। ଏହା ବାଦେ ବି ଆପଣ କିଛି ରାଶି କ୍ଷମା କରାଇ ପାରନ୍ତି। ଯେପରି ଏବେ ୧୨ ଲକ୍ଷ ଟଙ୍କା ଆୟ ଉପରେ ହେବ।