ୱାସିଂଟନ ୧୫।୨: ଆମେରିକୀୟ ମହାକାଶଯାତ୍ରୀ ସୁନୀତା ୱିଲିୟମସ୍ ଗତ ୮ ମାସ ହେଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍) ରେ ଅଟକି ରହିଛନ୍ତି। ଏବେ ସେ ପୃଥିବୀକୁ ଫେରିବେ, ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମହାକାଶରେ ଦୀର୍ଘ ସମୟ ବିତାଇବା ପରେ ଏବେ ତାଙ୍କ ଶରୀର ଅନେକ ପରିବର୍ତ୍ତନ ଦେଇ ଗତି କରିବ। ପୃଥିବୀର ଗ୍ରାଭିଟେସନାଲ ଫୋର୍ସ ପ୍ରଭାବରେ ଆସିବା ଯୋଗୁ ତାଙ୍କୁ କିଛି ଶାରୀରିକ ଓ ମାନସିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିବ। ତେବେ ଆସନ୍ତୁ ଜାଣିବା ସେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଗ୍ରାଭିଟେସନାଲ ଫୋର୍ସର ସମସ୍ୟା
ସୁନୀତା ୱିଲିୟମସଙ୍କ ସହିତ ମହାକାଶ ମିସନରେ ଥିବା ତାଙ୍କ ସାଥୀ ବଚ୍ ୱିଲମୋର କହିଛନ୍ତି ଯେ ଯେବେ ସେମାନେ ପୃଥିବୀକୁ ଫେରିବେ ସେତେବେଳେ ସେମାନଙ୍କୁ ଗୁରୁତ୍ୱାକର୍ଷଣର ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ବାସ୍ତବରେ ଗୁରୁତ୍ୱାକର୍ଷଣ ଅନେକ କଠିନ ଓ ଏହା ସେତେବେଳେ ଅନୁଭବ ହେବ ଯେତେବେଳେ ଆମେ ପୃଥିବୀକୁ ଫେରିବୁ। ସେ କହିଛନ୍ତି ଯେ ମହାକାଶରେ ଦୀର୍ଘ ସମୟ ବିତାଇବା ପରେ ଶରୀରରେ ଗୁରୁତ୍ୱାକର୍ଷଣର ପ୍ରଭାବ ଅଚାନକ ବଢିଯାଏ। ଫଳରେ ପ୍ରତ୍ୟେକ ଗତିବିଦ୍ଧି ଏପରିକି ଏକ ପେନସିଲକୁ ଉଠାଇବା ବି ଆମପକ୍ଷେ କଷ୍ଟକର ହୋଇପଡିବ।
ଏହି ପରିବର୍ତ୍ତନ କାରଣରୁ ଶରୀର ଓଜନିଆ ଲାଗିବା ସହିତ ଅସହଜ ଅନୁଭବ ହେବ। ଏ ନେଇ ସୁନୀତା ମଧ୍ୟ ତାଙ୍କର ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ସାମାନ୍ୟ କଠିନ ହେବ, ଯେତେବେଳେ ଆମ ଆମ ମାଂସପେଶିକୁ ପୁଣି କାମ କରିବାକୁ ପ୍ରଶିକ୍ଷିତ କରିବୁ।
ମାଂସପେଶି ଓ ଅସ୍ଥିରେ ହେବ ସମସ୍ୟା
ମହାକାଶରେ ଦୀର୍ଘ ସମୟ ଧିର ରହିବା ଯୋଗୁ ଶରୀରର କେତେକ ଭାଗରେ ପରିବର୍ତ୍ତନ ଆସିଥାଏ। ଏଥିରେ ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ମାଂସପେଶି ଦୁର୍ବଳ ହେବା ଓ ଅସ୍ତିର ଘନତ୍ୱ ହ୍ରାସ। ଗୁରୁତ୍ୱାକର୍ଷଣ ବିନା ଶରୀର ଉପରେ ଓଜନ ପ୍ରଭାବ ନଥାଏ, ଏଣୁ ମାଂସପେଶି ଓ ଅସ୍ତି ଉପରେ ଚାପ ପଡି ନଥାଏ। ଏହି କାରଣରୁ ମହାକାଶଯାତ୍ରୀ ପ୍ରତି ମାସରେ ନିଜର ଅସ୍ତିର ୧ ପ୍ରତିଶତ ହରାଇଥାନ୍ତି। ସୁନୀତାଙ୍କ ଲାଗି ଏହା ଏକ ବଡ଼ ସମସ୍ୟା ହୋଇପାରେ। ହେଲେ ସେ ଜାଣନ୍ତି ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ତାଙ୍କୁ କଠୋର ପୁନର୍ବାସ କାର୍ଯ୍ୟକ୍ରମ ଦେଇ ଯିବାକୁ ହେବ।
କିପରି ରହିବ ମାନସିକ ଅବସ୍ଥା?
ଏ ସମସ୍ତ ଶାରୀରକ ସମସ୍ୟା ସତ୍ତ୍ୱେ ସୁନୀତା ଓ ବଚ୍ ପୁଣି ସ୍ୱଭାବିକ ଜୀବନ ପାଇଁ ଢେର ଆଶାବାଦୀ ଅଛନ୍ତି। ପୂର୍ବ ମିସନ ମାନଙ୍କରେ ସେମାନେ ଏହି ପରିବର୍ତ୍ତନରେ ସେମାନେ ସାମଞ୍ଜସ୍ୟ ଆଣି ପାରିଥିଲେ ଓ ସେମାନେ ଏଥର ବି ସାମଞ୍ଜସ୍ୟ ଆଣି ପାରିବେ। ମହାକାଶରେ ପହଁରି ବୁଲିବା ଏକ ମଜାଦାର ଅନୁଭବ, ମୋତେ ମୋର ପାଗଳ ଭଳି ଚୁଟି ବି ଭଲ ଲାଗୁଛି ବୋଲି ସୁନୀତା କହିଛନ୍ତି। ତେବେ ୱିଲମୋର କହିଛନ୍ତି ଯେ ପୃଥିବୀକୁ ଫେରିବା ପରେ ସୁନୀତାଙ୍କ ନିମନ୍ତେ ଏହା ଏକ ଦୀର୍ଘ ଓ ଚାଲେଞ୍ଜିଂ ପ୍ରକ୍ରିୟା ହେବ। ତେବେ ସେ ଏହି ପରିସ୍ଥିତିକୁ ବେଶ୍ ଭଲ ଭାବେ ଅତିକ୍ରମ କରିଯାଇ ପାରନ୍ତି ବୋଲି ୱିଲମୋର କହିଛନ୍ତି।