ନୂଆଦିଲ୍ଲୀ ୦୭।୦୨: ଚିନ୍ତା ବଢାଉଛି ମହାକାଶ ଯାତ୍ରା । ଆଷ୍ଟ୍ରୋନଟ୍ଙ୍କ ଶରୀର ଉପରେ ପଡୁଛି ପ୍ରଭାବ । ଖାସ୍ କରି ଆଖି ଉପରେ ପଡୁଛି ଗଭୀର ପ୍ରଭାବ । ଧିରେ ଧିରେ ଦୃଷ୍ଟି ଶକ୍ତି ହ୍ରାସ ପାଉଛି । ଏପରି କିଛି ରିସର୍ଚ୍ଚରୁ ହେଇଛି ଖୁଲାସା । ମହାକାଶ ଜଗତ, ରହସ୍ୟରେ ପରିପୂର୍ଣ୍ଣ । ଏହି ରହସ୍ୟକୁ ସମାଧାନ କରିବାକୁ ମହାକାଶକୁ ଯାଉଛନ୍ତି ବିଭିନ୍ନ ମହାକାଶ ସଂସ୍ଥାର ମହାକାଶଚାରୀ ।
କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ମହାକାଶରେ ଦୀର୍ଘ ସମୟ ରହିବା ଦ୍ୱାରା ମହାକାଶଚାରୀଙ୍କ ଆଖି ଉପରେ ପଡ଼ୁଛି ଖରାପ ପ୍ରଭାବ । ଆମେରିକାର ମହାକାଶ ସଂସ୍ଥା ନାସା ଏବଂ ଭାରତର ମହାକାଶ ସଂସ୍ଥା ISRO ସମେତ ଅନେକ ଦେଶର ମହାକାଶଚାରୀମାନେ ବିଭିନ୍ନ ଗବେଷଣା ପାଇଁ ମହାକାଶକୁ ପଠାଇଥାନ୍ତି ମହାକାଶଚାରୀଙ୍କୁ । ଗତବର୍ଷ ନାସା ଜୁନ୍ ୨୦୨୪ରେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ଉଚ୍ ୱିଲମୋରଙ୍କୁ ମହାକାଶକୁ ପଠାଇଥିଲା।
କିନ୍ତୁ ବୋଇଂର ଷ୍ଟାରଲାଇନର କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ସେବେଠାରୁ ISSରେ ଫସି ରହିଛନ୍ତି । ଏହାରି ମଧ୍ୟରେ ଏପରି ଅନେକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସୁନିତା ଏବଂ ତାଙ୍କ ସାଥୀ ବହୁତ ଦୁର୍ବଳ ନଜର ଆସୁଛନ୍ତି । ଅନେକ ଗବେଷଣା ଅନୁଯାୟୀ ମହାକାଶରେ ଦୀର୍ଘ ସମୟ ରହିବା ଦ୍ୱାରା ମହାକାଶଚାରୀଙ୍କ ଶରୀର ଉପରେ ପଡୁଛି ଖରାପ ପ୍ରଭାବ । କିନ୍ତୁ ଏବେ ୟୁନିଭର୍ସିଟି ଡି ମଣ୍ଟ୍ରିଆଲର ଏକ ନୂଆ ଗବେଷଣା ବଢାଇଛି ଚିନ୍ତା । ଗବେଷଣା ଅନୁଯାୟୀ, ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୬ ମାସ ରହିବା ପରେ ମହାକାଶଚାରୀଙ୍କ ଆଖି ବହୁତ ଦୁର୍ବଳ ହୋଇଯାଏ।
କେବଳ ଏତିକି ନୁହେଁ ଅଧ୍ୟୟନରୁ ଜଣାପଡିଛି ଯେ ମହାକାଶରେ ଯାତ୍ରା କରିବା ଯୋଗୁଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର ୭୦ ପ୍ରତିଶତ ମହାକାଶଚାରୀ ଏକ ସ୍ୱତନ୍ତ୍ର ନ୍ୟୁରୋ-ଆଁକୁଲାର ସିଣ୍ଡ୍ରୋମ (SANS) ଭଳି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି। ମହାକାଶକୁ ଯିବା ପରେ ମହାକାଶଚାରୀଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଯାଏ । ତଥାପି ଏହାର ସବୁ ବିପଦ ଉପରେ ଏବେ ବି ଜାରି ରହିଛି ଗବେଷଣା ।
ଅନେକ ରିପୋର୍ଟ ଅନୁଯାୟୀ ଦୀର୍ଘ ସମୟ ଧରି ମହାକାଶରେ ରହିବା ଦ୍ୱାରା ହାଡ଼ ଦୁର୍ବଳ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଏବଂ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇବା ପରି ଅନେକ ସମସ୍ୟା ସୃଷ୍ଟି ହୁଏ। ଗବେଷଣା ଅନୁଯାୟୀ ମହାକାଶରେ ଦୀର୍ଘ ସମୟ ରହିବା ଯୋଗୁଁ ମହାକାଶଚାରୀଙ୍କ ଆଖି ନରମ ହୋଇଯାଏ । ଗବେଷକମାନେ ବିଶ୍ୱାସ କରନ୍ତି ଯେ ଏପରି ପରିସ୍ଥିତିରେ ମଙ୍ଗଳ ଗ୍ରହରେ ପହଞ୍ଚିବା ପରେ ମହାକାଶଚାରୀଙ୍କ ଆଖି ଉପରେ ଆହୁରି ଅଧିକ ପ୍ରଭାବ ପଡିପାରେ ।
ଏବେ ପ୍ରଶ୍ନ ଆସୁଛି ମହାକାଶକୁ ଯିବାରୁ ଆଖି ଉପରେ ଏତେ ପ୍ରଭାବ କାହିଁକି ପଡେ ? ବିଶେଷଜ୍ଞଙ୍କ ଅନୁଯାୟୀ ଓଜନହୀନତା ଶରୀରରେ ରକ୍ତ ପ୍ରବାହକୁ ପରିବର୍ତ୍ତନ କରେ । ଯାହାଦ୍ୱାରା ମୁଣ୍ଡରେ ରକ୍ତ ପ୍ରବାହ ବଢ଼ିଥାଏ । କିନ୍ତୁ ଆଖିର ଶିରାରେ ରକ୍ତ ପ୍ରବାହ ଧୀର ହୋଇଯାଏ।ଖାସ୍ କରି ଏଥିପାଇଁ ଆଖି ଖରାପ ହେବାର ବଢିଯାଏ ଆଶଙ୍କା…