ଆମେରିକାରେ ରାଷ୍ଟ୍ରପତିଙ୍କୁ ଶପଥପାଠ କରାନ୍ତି କିଏ?

Published By : Prameya-News7 Bureau | January 20, 2025 IST

ୱାସିଂଟନ ୨୦।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ୨୦ ଜାନୁୟାରୀ ସୋମବାର ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ପଦ ନିମନ୍ତେ ଶପଥଗ୍ରହଣ କରିବେ। ଶରଳ ଭାଷାରେ କହିଲେ ହ୍ୱାଇଟ୍ ହାଉସ୍ ଛାଡିବାର ପାଖାପାଖି ୪ ବର୍ଷ ପରେ ଟ୍ରମ୍ପ ପୁଣି ଥରେ ସେଠାକୁ ପ୍ରତ୍ୟାବର୍ତ୍ତନ କରିବେ। ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇ ସାରିଲାଣି। ଜାଣନ୍ତିକି ଆମେରିକାରେ ରାଷ୍ଟ୍ରପତିଙ୍କୁ କିଏ ପଦ ଓ ଗୋପନୀୟତାର ଶପଥ ପାଠ କରାନ୍ତି? ଯଦି ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା। 

ଆମେରିକାର ୱାସିଂଟନରେ ଆଜିକାଲି ଭୀଷଣ ଥଣ୍ଡାପଡିଛି। ଚାରିଆଡେ ବରଫ ଜମିଯାଇଛି, ଏହିକାରଣରୁ ଟ୍ରମ୍ପଙ୍କ ଶପଥଗ୍ରହଣର ଉଦଘାଟନ ଭାଷଣ ଏଥର ଖୋଲାମଞ୍ଚରେ ହେବ ନାହିଁ ୟୁଏସ୍ କ୍ୟାପିଟଲ ରୋଟୁଣ୍ଡାରେ ଉତ୍ସବ ଅନୁଷ୍ଠିତ ହେବ। ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ପ୍ରଧାନ ବିଚାରପତି ଜନ ରବର୍ଟସ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଆମେରିକୀୟ ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ ପ୍ରଧାନ ନ୍ୟାୟାଧୀଶ ହିଁ ଶପଥପାଠ କରାନ୍ତି। 

ଆମେରିକା ରାଷ୍ଟ୍ରପତି ଯେଉଁ ଶପଥ ଗ୍ରହଣ କରନ୍ତି ତାହା ମାତ୍ର ୩୫ଟି ଶବ୍ଦରେ ଥାଏ। ଏହି ଶବ୍ଦ ଗୁଡିକ ଆମେରିକୀୟ ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେ, ଯାହାକୁ ସମ୍ବିଧାନର ମୂଳ ଭାବନା ବୋଲି କୁହାଯାଏ। ଉଲ୍ଲେଖଯୋଗ୍ୟ ଯେ ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ଶପଥ ଗ୍ରହଣରେ ୨ଟି ବାଇବଲ ବ୍ୟବହାର କରାଯିବ। ଏଥିରୁ ଗୋଟିଏ ଟ୍ରମ୍ପଙ୍କ ମା ତାଙ୍କୁ ଉପହାରରେ ଦେଇଥିଲେ। ତେବେ ଅନ୍ୟଟି ଲିଙ୍କନଙ୍କ ବାଇବଲ। 

ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବରେ ଅନେକ ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରତିନିଧି ଯୋଗ ଦେବେ। ଏଥିରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେଇଛନ୍ତି। ସେହିପରି ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମାଇଲି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଭାରତ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ, ସେହିପରି ସ୍ପେସ-ଏକ୍ସ ଓ ଟେସ୍ଲା ସିଇଓ ଏଲନ ମସ୍କ, ଆମାଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେଫ ବେଜୋସ ଏବଂ ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ଆଦି ଉପସ୍ଥିତ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.