ଘରକୁ ବାହୁଡିଲେ ୩ ବନ୍ଧକ ମହିଳା, ୪୭୧ ଦିନ ପରେ ଓଦା ଆଖିରେ ସ୍ୱାଗତ କଲେ ପରିବାର

Published By : Prameya-News7 Bureau | January 20, 2025 IST

ତେଲ୍‌ ଆଭିଭ୍‌/ଗାଜା ସିଟି,୨୦/୦୧: ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତି ରବିବାର ପ୍ରାୟ ୩ ଘଣ୍ଟା ବିଳମ୍ବରେ ଲାଗୁ ହୋଇଛି । ଶନିବାର ଇସ୍ରାଏଲ୍‌ର କ୍ୟାବିନେଟ୍‌ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ଲଗାଇଥିଲା । ଚୁକ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ହମାସ ୩୩ ବନ୍ଧକଙ୍କୁ ଛାଡ଼ିବା ନେଇ କୁହାଯାଇଥିଲା । କିନ୍ତୁ ଏହା ୩ ଜଣଙ୍କୁ ମୁକ୍ତ କରିଛି । 

ରବିବାର ପୂର୍ବାହ୍ନ ୧୧ଟା ୩୦ରେ ଯୁଦ୍ଧବିରତି ଚୁକ୍ତି ଲାଗୁ ହେବାର ଥିଲା । ଏହା ଅପରାହ୍ନ ୨ଟା ୪୫ରେ କାର୍ଯ୍ୟକାରୀ ହୋଇଛି । ରେଡ୍‌କ୍ରସ୍‌ ଟିମ୍‌ ଇସ୍ରାଏଲୀ ବନ୍ଧକଙ୍କୁ ଆଣି ଫେରି ଆସିଛି । ରବିବାରଠାରୁ ଲାଗୁ ହୋଇଥିବା ଯୁଦ୍ଧବିରତି ମୁତାବକ, ହମାସ ଇସ୍ରାଏଲ୍‌ର ୩ ବନ୍ଧକଙ୍କୁ ମୁକ୍ତ କରିଛି । ଏମାନଙ୍କୁ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ମୁକ୍ତ କରାଯାଇଛି । ହମାସ ତରଫରୁ ଯେଉଁ ୩ ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ରୋମି ଗୋନେନ, ଏମିଲୀ ଦାମାରୀ ଓ ଡୋରୋନ ଷ୍ଟୀନବ୍ରେଚର ।\

ଏହା ପୂର୍ବରୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ, ଆଜିଠାରୁ ବନ୍ଧକମାନଙ୍କୁ ମୁକ୍ତ କରାଯିବ । ସର୍ବପ୍ରଥମେ ୩ ଜଣ ଝିଅ ମୁକୁଳିବେ । ସେପଟେ ହମାସ କହିଛି ଯେ ଏ ପର୍ଯ୍ୟନ୍ତ ଇସ୍ରାଏଲ ତରଫରୁ ଛଡ଼ାଯିବାକୁ ଥିବା ୯୦ କଏଦୀଙ୍କ ତାଲିକା ଦିଆଯାଇ ନାହିଁ । ଆମେ ତାହାକୁ ଅପେକ୍ଷା କରିଛୁ । ଇସ୍ରାଏଲ-ହମାସ ବୁଝାମଣା ମୁତାବକ, ଇସ୍ରାଏଲ୍‌ର ୧ ବନ୍ଧକ ମୁକ୍ତ ହେଲେ ଏହା ବଦଳରେ ୩୦ ପାଲେଷ୍ଟିନୀୟ କଏଦୀ ମୁକୁଳିବେ । ଯୁଦ୍ଧବିରତି ଲାଗୁ ହେବା ପରେ ବିସ୍ଥାପିତ ପାଲେଷ୍ଟିନୀୟ ଲୋକମାନେ ଗାଜାସ୍ଥିତ ନିଜ ଭଙ୍ଗା ଘରକୁ ଫେରୁଛନ୍ତି । ସେହିଭଳି ଆଜିଠାରୁ ଗାଜା ପାଇଁ ରିଲିଫ ସାମଗ୍ରୀ ପହଞ୍ଚିବା ମଧ୍ୟ ଆରମ୍ଭ କରିଛି । 

୨୦୦ ଟ୍ରକ୍‌ ରିଲିଫ ସାମଗ୍ରୀ ନେଇ ଗାଜାପଟ୍ଟି ନିକଟରେ ପହଞ୍ଚିଯାଇଛି । ଯୁଦ୍ଧ ଯୋଗୁ ୨୩ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଯୁଦ୍ଧବିରତି ଚୁକ୍ତି ୩ଟି ପର୍ଯ୍ୟାୟରେ ଶେଷ ହେବ । ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୭ରେ ହମାସର ଆତଙ୍କୀମାନେ ଇସ୍ରାଏଲ ଭିତରେ ପଶି ୧୨ ଶହ ଲୋକଙ୍କୁ ହତ୍ୟା କରିଥିଲେ । ଏହାପରେ ୨୫୧ ଲୋକଙ୍କୁ ଉଠାଇ ନେଇ ବନ୍ଧକ ବନାଇଥିଲେ । ଏହାର କିଛି ଘଣ୍ଟା ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସେସ (ଆଇଡିଏଫ୍‌)ର ସୈନ୍ୟମାନେ ଗାଜା ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେବେଠାରୁ ଏହି ଯୁଦ୍ଧ ଲାଗିରହିଥିଲା । 

ହମାସ ମୋଟ ୨୫୧ ଇସ୍ରାଏଲୀ ନାଗରିକଙ୍କୁ ବନ୍ଧକ ବନାଇ ରଖିଥିଲା । ୧୫୭ ଜଣ ମୁକ୍ତ ହୋଇସାରିଥିଲା ବେଳେ ବାକି ୯୪ ବନ୍ଦୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୩୪ ଜଣ ପ୍ରାଣ ହରାଇଥିଲେ । ଜାନୁଆରୀ ୧୫ରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ, ଯୁଦ୍ଧବିରତି ଚୁକ୍ତି ଜାନୁଆରୀ ୧୯ରୁ ଲାଗୁ ହେବ । ୪୨ ଦିନ ପର୍ଯ୍ୟନ୍ତ ବନ୍ଧକଙ୍କର ଅଦଳବଦଳ ହେବ । ତେବେ ଜାନୁଆରୀ ୧୯ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଗାଜାରେ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧବିରତି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.