ୱାସିଂଟନ ୧୯।୧: ଶପଥଗ୍ରହଣର ତୁରନ୍ତ ବାଦ ସୋମବାର ମଧ୍ୟାହ୍ନରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେବେ ହ୍ୱାଇଟ୍ ହାଉସ୍ କୁ ଯିବେ ଓଭାଲ ଅଫିସ ଡେସ୍କରେ ୧୦୦ରୁ ଅଧିକ କାର୍ଯ୍ୟକାରୀ ଆଦେଶ ଫାଇଲ ତାଙ୍କୁ ମଞ୍ଜୁରୀ ନିମନ୍ତେ ଅପେକ୍ଷା କରିଥିବେ, ଯେଉଁଗୁଡିକୁ ତାଙ୍କ ଟିମ୍ ବିନା ବିଳମ୍ବରେ ରାଷ୍ଟ୍ରପତିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପ୍ରାରମ୍ଭ ପାଇଁ ପ୍ରସ୍ତୁତ କରି ରଖିଛନ୍ତି। ଏହି କାର୍ଯ୍ୟକାରୀ ଆଦେଶଗୁଡିକ ମୁଖ୍ୟତଃ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କିତ ବୋଲି ଜଣାପଡିଛି।
ଏନବିସି ନ୍ୟୁଜ୍ କୁ ଟ୍ରମ୍ପ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ପ୍ରଥମ ଦିନ କାର୍ଯ୍ୟାନୁଷ୍ଠାନରେ ରେକର୍ଡ-ସେଟିଂ ସଂଖ୍ୟାରେ ସ୍ୱାକ୍ଷର କରିବା ପାଇଁ ସେ ଏହି ଯୋଜନା କରିଛନ୍ତି। ଏକ କାର୍ଯ୍ୟକାରୀ ଆଦେଶ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଉଥିବା ଏକତରଫା ଆଦେଶ ଯାହାର ଆଇନଗତ କ୍ଷମତା ମଧ୍ୟ ଥାଏ। ଏହିସବୁ କାର୍ଯ୍ୟକାରୀ ଆଦେଶକୁ କଂଗ୍ରେସ ଅନୁମୋଦନର ଆବଶ୍ୟକତା ପଡି ନଥାଏ। ଯଦିଓ କଂଗ୍ରେସ ଏହାକୁ ପଲଟାଇ ପାରିବ ନାହିଁ ତେବେ ଏପରି ଏକତରଫା ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରେ।
ଟ୍ରମ୍ପଙ୍କ ନିକଟତମ ସହଯୋଗୀ ଷ୍ଟିଫନ ମିଲର ଏକ ଚ୍ୟାନେଲକୁ ସାକ୍ଷାତକାରରେ ଟ୍ରମ୍ପ ସ୍ୱାକ୍ଷର କରିବାକୁ ଥିବା କାର୍ଯ୍ୟକାରୀ ଆଦେଶଗୁଡିକ ମୁଖ୍ୟତଃ ୫ଟି ବିଷୟରେ ବୋଲି କହିଛନ୍ତି। ଏଥିରେ ଦେଶର ଦକ୍ଷିଣ ସୀମାକୁ ସିଲ କରିବା, ସାମୂହିକ ନିର୍ବାସନ, ମହିଳାଙ୍କ କ୍ରିଡାରେ ଟ୍ରାନ୍ସଜେଣ୍ଡରଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇବା ଓ ସରକାରୀ ଦକ୍ଷତାରେ ସୁଧାର କରିବା ଆଦି ରହିଛି। ତାଙ୍କ କାର୍ଯ୍ୟକାରୀ ଆଦେଶରେ ଟ୍ରମ୍ପ ନିଜ ସମର୍ଥକଙ୍କୁ ସୁହାଇବା ଭଳି ଆଦେଶ ମଧ୍ୟ ଜାରି କରିପାରନ୍ତି। ଯେଉଁଥିରେ କ୍ୟାପିଟଲ ହିଲ ଆକ୍ରମଣରେ ସାମିଲ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ ମଧ୍ୟ କରିପାରନ୍ତି।
୭୮ ବର୍ଷ ବୟଷ୍କ ଟ୍ରମ୍ପ ନିବର୍ତ୍ତମାନ ରାଷ୍ଟ୍ରପତି ଜୋ ବିଡେନଙ୍କ କିଛି କାର୍ଯ୍ୟକାରୀ ଆଦେଶ ଓ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ମଧ୍ୟ ଲଗାଇ ପାରନ୍ତି। ଏଥିରେ ପ୍ୟାରିସ ଜଳବାୟୁ ବୁଝାମଣା, ଜୀବାସ୍ମ ଇନ୍ଧନ ଉପରେ କଟକଣା ହଟାଇବା ଓ ଘରୋଇ ତୈଳ ଖନନକୁ ବିସ୍ତାର କରିବା ଆଦି ରହିପାରେ। ସାରା କାର୍ଟର କହିଛନ୍ତି ଯେ କ୍ଷମତାର ଏହି ନମନିୟତା ତାଙ୍କର ଅଧିକାଂଶ ଏଜେଣ୍ଡାକୁ ଯଥାଶୀଘ୍ର ଲାଗୁ କରିଦେବ। କାରଣ କଂଗ୍ରେସ ତାଙ୍କର ବିଧାୟୀ ପ୍ରାତମିକତାଗୁଡିକୁ ଆପଣେଇବ।