ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ; ବର୍ଷକୁ ୧୦ ଲକ୍ଷ ଜୀବନ ନେଉଛି ଅତ୍ୟଧିକ ଲୁଣ

Published By : Prameya-News7 Bureau | May 19, 2024 IST

ନୂଆଦିଲ୍ଲୀ ୧୯।୦୫: ନିକୃଷ୍ଟ ମାନର ଖାଦ୍ୟ ଯୋଗୁ ବିଶ୍ୱରେ ଯାଉଛି ୮୦ ଲକ୍ଷରୁ ଅଧିକ ଜୀବନ । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ କେବଳ ଅଧିକ ସୋଡିୟମ୍‌ ଖାଇବା ଯୋଗୁ ହେଉଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟ ରିପୋର୍ଟରେ ପ୍ରକାଶ ପାଇଛି । ‘ହୁ’ ଅନୁଯାୟୀ ଖାଦ୍ୟରେ ମାତ୍ରାଧିକ ସୋଡିୟମ୍‌ ଗ୍ରହଣ କରିବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଉଛି । ଏହାର ପରିଣାମ ସ୍ୱରୂପ ହୃଦ୍‌ରୋଗର ଆଶଙ୍କା ବଢୁଛି । 

ଲୁଣରେ ମୁଖ୍ୟ ଉପାଦାନ ହେଉଛି ସୋଡିୟମ୍‌ । ସ୍ୱାଭାବିକ କୋଷିକା କାର୍ଯ୍ୟକଳାପ ଓ ରକ୍ତରେ ପ୍ଲାଜ୍‌ମା ପରିମାଣ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ । କିନ୍ତୁ ଅତି ମାତ୍ରାରେ ସୋଡିୟମ୍‌ ଉଚ୍ଚ ରକ୍ତଚାପ ଆଶଙ୍କା ବୃଦ୍ଧି କରେ । ଏହା ଏକ ବିପଦପୂର୍ଣ୍ଣ ସ୍ଥିତି, ଯାହା ହୃତ୍‌ପିଣ୍ଡ ସମସ୍ୟା ଓ ଷ୍ଟ୍ରୋକ୍‌ ପାଇଁ ଦାୟୀ । ଅଧିକାଂଶ ଲୋକ ଲୁଣର ଏତେ ଭୟଙ୍କର ସ୍ଥିତିକୁ କେବେ ଚିନ୍ତା କରନ୍ତି ନାହିଁ । 

କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ମାତ୍ରାଧିକ ଲୁଣ ଖାଇବା ଯୋଗୁ ହୃଦ୍‌ଘାତ, ଷ୍ଟ୍ରୋକ୍‌ ଓ କିଡ୍‌ନୀ ରୋଗରୁ ପ୍ରତି ବର୍ଷ ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । କେବଳ ହୃଦ୍‌ରୋଗ ନୁହେଁ, ମାତ୍ରାଧିକ ସୋଡିୟମ୍‌ ମେଦବହୁଳତା, ଗ୍ୟାଷ୍ଟ୍ରିକ୍‌ କ୍ୟାନ୍ସର ଓ ଯକୃତ ରୋଗ ଭଳି ପୁରୁଣା ରୋଗ ପାଇଁ ମଧ୍ୟ ଦାୟୀ । ବ୍ରେଡ୍‌, ପ୍ରକ୍ରିୟାକୃତ ମାଂସ, ପ୍ୟାକେଟ୍‌ ଖାଦ୍ୟ ସମେତ କିଛି ଦୁଗ୍ଧଜାତୀୟ ଉତ୍ପାଦରେ ସୋଡିୟମ୍‌ ଥାଏ । 

ଖାଦ୍ୟରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଲୁଣ । କିନ୍ତୁ ମାତ୍ରାଧିକ ଲୁଣର ଭୟଙ୍କର ସ୍ୱାସ୍ଥ୍ୟ ପରିଣାମ ରହିଛି ବୋଲି ଏହା ସ୍ପଷ୍ଟ କରିଛି । ରକ୍ତ ଚାପରେ ମାତ୍ରାଧିକ ଲୁଣର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଉଚ୍ଚ ରକ୍ତଚାପ ହୃଦ୍‌ରୋଗର ମୁଖ୍ୟ କାରଣ । ଏହା ଧମନୀଗୁଡ଼ିକୁ ସଙ୍କୁଚିତ କରି ସେଗୁଡ଼ିକର କାର୍ଯ୍ୟକଳାପକୁ ଜଟିଳ କରେ, ଯାହା ହୃତ୍‌ପିଣ୍ଡ ଉପରେ ଚାପ ବଢ଼ାଏ ।

 ଏହା କୋରୋନାରି ଆର୍ଟେରି ଡିଜିଜ୍‌, ହୃଦ୍‌ଘାତ ଓ ହୃତ୍‌ପିଣ୍ଡ ଅଚଳ ଭଳି ସ୍ଥିତି ପାଇଁ ମୁଖ୍ୟତଃ ଦାୟୀ । ଷ୍ଟ୍ରୋକ୍‌ ଓ ଅନ୍ୟ ହୃଦ୍‌ ସମସ୍ୟା ପାଇଁ ମଧ୍ୟ ମାତ୍ରାଧିକ ସୋଡିୟମ୍‌ ଦାୟୀ । ତେବେ ଲୋକେ ଦିନକୁ ୫ ଗ୍ରାମ୍‌ରୁ କମ୍‌ ଲୁଣ ଖାଇବା ଉଚିତ୍‌ ବୋଲି ପରାମର୍ଶ ଦେଇଛି ‘ହୁ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.