ମମତା ଓ ସୁଜିତ୍‌ଙ୍କ ପରେ ଆଉ କିଏ ? ବିଜେଡି-ବିଜେପି ଭିତରେ ତେଜିଲା ରାଜନୀତି

Published By : Prameya-News7 Bureau | September 07, 2024 IST

ଭୁବନେଶ୍ଵର: ରାଜ୍ୟସଭା ସାଂସଦ ପଦ ଓ  ବିଜେଡି ଛାଡ଼ି ସୁଜିତ କୁମାର ବିଜେପିରେ ମିଶିବା ପରେ ଏହାକୁ ନେଇ ବେଶ ସରଗରମ ହୋଇଛି ରାଜ୍ୟ ରାଜନୀତି । ପୂର୍ବରୁ ମମତା ମହାନ୍ତ ଆଉ ଏବେ ସୁଜିତ କୁମାର ଦଳ ଛାଡିବା ପରେ ଏମାନଙ୍କ ରାସ୍ତାରେ ବିଜେଡିର ଆଉ କିଏ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ବିଜେଡି-ବିଜେପି ଭିତରେ ତେଜିଛି ଆରୋପ-ପ୍ରତ୍ୟାରୋପର ପର୍ବ ।

ମମତା ଓ ସୁଜିତ୍ଙ୍କ ପରେ କିଏ ?  ଶଙ୍ଖ ଛାଡି ପଦ୍ମ ଧରିବା ତାଲିକାରେ ଅଛନ୍ତି ଆଉ କେଉଁ ସାଂସଦ ? ଗତକାଲି ରାଜ୍ୟସଭା ସାଂସଦ ପଦ ଏବଂ ବିଜେଡିରୁ ଇସ୍ତଫା ଦେଇ ସୁଜିତ୍ କୁମାର ବିଜେପିରେ ମିଶିବା ପରେ ଏବେ ରାଜ୍ୟ ରାଜନୀତିରେ ଉଠିଛି ଏମିତି ପ୍ରଶ୍ନ । ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଝଟକା ଦେଇଥିଲେ ମମତା ମହାନ୍ତ । ଶଙ୍ଖ ଶିବିର ଛାଡ଼ି ପଦ୍ମ କ୍ୟାମ୍ପରୁ ପୁଣି ରାଜ୍ୟସଭାକୁ ଫେରିଥିଲେ । ମମତାଙ୍କ ପରେ ବିଜେଡି ଛାଡ଼ି ବିଜେପି କ୍ୟାମ୍ପରେ ଏବେ ସୁଜିତ କୁମାର । କୁହାଯାଉଛି ମମତା ଓ ସୁଜିତ୍ କୁମାର ରାସ୍ତାରେ କୁଆଡେ ବିଜେଡିର ଆହୁରି ଅନେକ ରାଜ୍ୟସଭା ସାଂସଦ ଅଛନ୍ତି । ସେମାନେ କୁଆଡେ ଏହି ରାସ୍ତା ଆପଣାଇପାରନ୍ତି । ଯାହାକୁ ନେଇ ବିଜେଡି ଭିତରେ ବି ଆରମ୍ଭ ହୋଇଛି ଚର୍ଚ୍ଚା  । 

Also read: ଅନ୍ୟ ଉପରେ ଦୋଷ ଲଦିଲେ ହେବନି, ଦଳରେ କ’ଣ ଅସୁବିଧା ରହୁଛି ତର୍ଜମା କରିବା ଆବଶ୍ୟକ : ଅମର ପ୍ରସାଦ ଶତପଥୀ

ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ଚେତାଇ ଦେଇଛନ୍ତି ଯେ,  ଅନ୍ୟ ଉପରେ ଦୋଷ ଲଦି ବସିଗଲେ ହେବ ନାହିଁ,  ଆମ ଦଳରେ ଅସୁବିଧା କେଉଁଠି ରହୁଛି ତା’ର ତର୍ଜମା ଦରକାର । ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାକୁ ନେଇ ଆମକୁ ଅଧିକ ଆତ୍ମନିରୀକ୍ଷଣ କରିବାର ସମୟ ଆସିଛି । ଯେଉଁମାନେ ଗୋଟେ ସମୟରେ ଦଳରେ ଆଗଧାଡିରେ କାମ କରୁଥିଲେ ସେମାନେ କାହିଁକି ଦଳ ଛାଡ଼ୁଛନ୍ତି ତା’ର ସମୀକ୍ଷା ହେବା ଦରକାର । ଅମର ଶତପଥୀ ଆହୁରି ବି କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ କିମ୍ବା କର୍ମୀମାନେ ଦଳ ଛାଡ଼ି ଗଲେ ଦଳର କୌଣସି କ୍ଷତି ହେବନି । କିନ୍ତୁ ଯେଉଁମାନଙ୍କୁ ଦଳ ସାଂସଦ ଭାବେ ସଂସଦକୁ ପଠାଇଛି ସେମାନେ ଯଦି ଦଳ ଛାଡ଼ିବେ ତାହେଲେ ତା’ର ପ୍ରଭାବ ଦଳ ଉପରେ ପଡ଼ିବ । 

ସେହିଭଳି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ମମତା ମହାନ୍ତ ଦଳ ଛାଡ଼ିବା ପରେ ସେ ସୁଜିତ୍ କୁମାରଙ୍କ ସହ କଥା ହୋଇଥିଲେ। ସେତେବେଳେ ସୁଜିତ୍ କୁମାର ଦଳ ଛାଡ଼ିବେନି ବୋଲି କହିଥିଲେ । ତା’ ପରେ ବି ସେ ଦଳ ଛାଡ଼ିଲେ ବୋଲି କହିଛନ୍ତି ଦେବୀ ମିଶ୍ର । 

ବିଜେଡିର ଜଣକ ପରେ ଜଣେ ସାଂସଦକୁ ନିଜ କ୍ୟାମ୍ପକୁ ଆଣି ରାଜ୍ୟସଭାରେ ନିଜର ବଳ ବଢ଼ାଉଛି ବିଜେପି । ଶୁଆଶାରୀ ଉପାଖ୍ୟାନ କହି ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି ଯେ, କାହାକୁ ପିଞ୍ଜରା ଭିତରେ ରଖାଯାଇପାରିବ ନାହିଁ । ଏକଥା ସୁଜିତ୍ କୁମାରଙ୍କ କଥାରୁ ସ୍ପଷ୍ଟ ହୋଇଛି । ବିଜେପିର ଦ୍ବାର ଖୋଲାଅଛି । ଯିଏ ଦେଶକୁ, ରାଜ୍ୟକୁ ଓ ଲୋକଙ୍କୁ ଭଲ ପାଉଥିବ ତା’ ପାଇଁ ବିଜେପିରେ ଆସନ ସଂରକ୍ଷଣ ହୋଇ ରହିଛି ।

ସେହିଭଳି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ବିଜେଡିରୁ ଅନେକ ନେତା ଆମ ସମ୍ପର୍କରେ ଅଛନ୍ତି ।ଅଳ୍ପ ଦିନ ଭିତରେ ସେମାନେ ବିଜେପିରେ ଯୋଗଦେବେ । ବିଜେଡିରେ ଯେଉଁ ଭଳି ଭାବେ ସ୍ବେଚ୍ଛାଚାରିତା ଚାଲିଛି, ଯେଉଁମାନେ ସ୍ବାଭିମାନୀ ସେମାନେ ଦଳ ଛାଡ଼ିବେ । ମମତା ମହାନ୍ତଙ୍କ ଭଳି ସୁଜିତ କୁମାରଙ୍କୁ ମଧ୍ୟ ପୁଣିଥରେ ବିଜେପି ରାଜ୍ୟସଭା ପଠାଇବାକୁ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.