ମଦ ନେଲା ଆଉ ଏକ ଜୀବନ ! ମଶାଣିରୁ ଶବ ଜବତ କଲା ପୋଲିସ

Published By : Prameya-News7 Bureau | September 07, 2024 IST

ଦିଗପହଣ୍ଡି:  ମଦ ନେଲା ଆଉ ଏକ  ଜୀବନ। ମଶାଣିରୁ ଶବ ଜବତ କରି ପୋଲିସ ତଦନ୍ତ ଚଳାଇଛି। ଚିକିଟି ମଦ ମୃତ ବିଭୀଷିକା ଲୋକଙ୍କ ମନରୁ ନ ଲିଭୁନୁ ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଭିଷ୍ମଗିରୀ ଗ୍ରାମରେ ମଦ ପାଇଁ ଆଉ ଏ ଯୁବକଙ୍କ ମୃତ ହୋଇଥିବା ପାରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହା ପରେ ସ୍ଥାନୀୟ ଦିଗପହଣ୍ଡି ପୋଲିସ ଖବର ଶୁଣି ଭିଷ୍ମଗୀରି ଶ୍ମଶାନରୁ ଶବ ଜବତ କରି ବ୍ରହ୍ମପୁର ମେଡିକାଲକୁ  ବ୍ୟବଚ୍ଛଦ ପାଇଁ ପାଠଇଛି। ମୃତକ ଜଣକ ହେଲେ ଭିଷ୍ମଗୀରି ଗ୍ରାମର ପ୍ରେମ ନଗର ସାହିର ୪୦ ବର୍ଷୀୟ ଯୁବକ  କେ.କ୍ରୀଷ୍ଣା ପାତ୍ର। 

ସୂଚନା ଅନୁଯାୟୀ, କ୍ରୀଷ୍ଣା ଛେଳି ଚୋରାଇବା ପାଇଁ ଶୁକ୍ରବାର ଦିନ ଗଞ୍ଜାମ ଗଜପତି ସୀମାନ୍ତ ଅଞ୍ଚଳ ବିଚାପାଟ ଗ୍ରାମକୁ ଯାଇଥିଲେ । ସେଠାରେ ସେ ରନ୍ଧା ମଦ ପିଇ ଗୁରୁତର ହୋଇଥିବା ଜଣାପଡିଛି। ସେ ବିଚାପାଟ ଗ୍ରାମ ଠାରୁ ଏସ. ଟିକରପଡ଼ା ଗ୍ରାମକୁ ଯିବା କେନାଲ ରାସ୍ତା ବୃନ୍ଦାବନ ନଗର ଗ୍ରାମ ନିକଟ ରାସ୍ତା କଡ଼ରେ ପଡ଼ିଥିଲେ। ସେ ରାତିରେ ଆଉ ଘରକୁ ଫେରିନଥିଲେ   । ଏହା ପରେ ପରିବାର ଲୋକେ ତାକୁ ବହୁ ଖୋଜା ଖୋଜି କରିବା ପରେ ତାଙ୍କର ମର ଶରୀରକୁ ରାସ୍ତା କଡରୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏହା ପରେ ସକାଳେ କ୍ରୀଷ୍ଣାଙ୍କ ଶବ ସଂସ୍କାର ପାଇଁ ନିକଟସ୍ଥ ଶ୍ମଶାନକୁ ନେଇଥିଲେ। 

କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଶବ ଜବତ କରିଥିଲା। ପୋଲିସ ନିକଟରେ ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ରନ୍ଧା ମଦ ପିଇ ଜୀବନ ଯାଇଥିବା ଅଭିଯୋଗ ଆଣିଥିଲେ। ପ୍ରକାଶ ଥାଉ କି ଦିଗପହଣ୍ଡି ବ୍ଳକର ଭିଷ୍ମଗୀରି, ଜୁଆଣ ପଲ୍ଲୀ, ଶ୍ୟାମସୁନ୍ଦରପୁର, ମଝି ସାହି, ତଳ ସାହି, ଉପର ସାହି, ବଦପୁର, ପାଳଝଡ଼, ଗୋଠକେଳି ଆଦି ଗ୍ରାମରେ ରନ୍ଧା ମଦର ବହୁଳ ବିକ୍ରି ହେଉଅଛି। କିନ୍ତୁ ଅବକାରୀ ଓ ପୋଲିସ ମଦ ମାଫିଆ ମାନଙ୍କୁ ଧରିବାରେ ବିଫଳ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.