ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ କହିଲେ ଆତ୍ମହତ୍ୟା, ବାପାଙ୍କ ଅଭିଯୋଗ ଝିଅକୁ ହତ୍ୟା କରାଯାଇଛି

Published By : Prameya-News7 Bureau | July 29, 2024 IST

ବିନିକା୨୯/୭: ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗଡଗଡବାହାଲ ଗାଁରେ ଅଭାବନୀୟ ଘଟଣା । ମୃତକ ସ୍ଥାନୀୟ ଅଞ୍ଚଳର ପୁଷ୍ପାଞ୍ଜଳି ଜାଲ । ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ସୁଶାନ୍ତ ଜାଲଙ୍କୁ ବିବାହ କରିଥିଲେ । ସୋମବାର ଘରେ କେହି ନଥିବାରୁ ପୁଷ୍ପା଼ଞ୍ଜଳି ଆତ୍ମହତ୍ୟା କରିଥିବା କହିଛନ୍ତି ସ୍ବାମୀ ସୁଶାନ୍ତ । ସେ ବାଡିରେ କାମ କରୁଥିବାବେଳେ ପରିବାର ଲୋକ ତାଙ୍କୁ ଖବର ଦେଇଥିଲେ ପୁଷ୍ପାଞ୍ଜଳି ଆତ୍ମହତ୍ୟା କରିଦେଇଛି । ସେ ତୁରନ୍ତ ଘରକୁ ଆସି ପୁଷ୍ପାଞ୍ଜଳିଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହା ପରେ ପୁଷ୍ପାଞ୍ଜଳିଙ୍କ ଘରକୁ ଖବର ଦେଇଥିବା କହିଛନ୍ତି ସୁଶାନ୍ତ । ସେପଟେ ଝିଅ ଆତ୍ମହତ୍ୟା କରିନି ଯୌତୁକ ପାଇଁ ଶାଶୂଘର ଲୋକ ମାରିଦେଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ପୁଷ୍ପାଞ୍ଜଳିଙ୍କ କକା । ପୂର୍ବରୁ ଅନେକ ଥର ଝିଅକୁ ଗାଳିଗୁଲଜ କରାଯିବା ସହ ନିର୍ଯାତନା ଦିଆଯାଇଥିଲା । ସେ ସବୁ ସହିନପାରି ପୁଷ୍ପାଞ୍ଜଳି ଜୀବନ ହାରିଦେଇଥିବା ଅଭିଯୋଗ ଆଣି ବିନିକା ଥାନାରେ ଏତଲା ଦେଇଛନ୍ତି । ପୁଷ୍ପାଞ୍ଜଳିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଯାଇଛି । ଉଭୟ ପକ୍ଷର ଅଭିଯୋଗ ଆଧାରରେ ଛାନଭିନ୍‌ କରୁଛି ବିନିକା ପୋଲିସ ।  

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.