ଧର୍ମଶାଳା 14/02 : ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଥିବା ସମୟରେ ଜଣେ ଯୁବକ ଶ୍ରେଣୀ ଗୃହରେ ପଶି ଶିକ୍ଷୟତ୍ରୀ ଓ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଯୁବକଙ୍କୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିଲେ। ଏଭଳି ଅଭାବନୀୟ ଘଟଣାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ରୁନାମଣି ଗୋଚ୍ଛାୟତ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ ମୁତାବକ, ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମରେ ଥିବା ଚୋରମୁହାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଥିଲା। ଏହି ସମୟରେ ଗ୍ରାମର ୩୫ ବର୍ଷୀୟ ପ୍ରଶାନ୍ତ ମହାନ୍ତି ଓରଫ ଶଙ୍କରା ନାମକ ଯୁବକ ଶ୍ରେଣୀ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ। ଆଉ ଶିକ୍ଷୟତ୍ରୀ ଓ ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଗାଳିଗୁଲଜ ଶୁଣି ପ୍ରଧାନଶିକ୍ଷୟତ୍ରୀ ତାଙ୍କୁ ବାରଣ କରିଥିଲେ। ଆଉ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଏକଥା ଶୁଣି ଯୁବକ ଜଣକ ତାଙ୍କୁ ଗୋଇଠା ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପୂର୍ବରୁ ମଧ୍ୟ ଏହି ଯୁବକ ଜଣଙ୍କ ଏହିଭଳି କାଣ୍ଡ ଭିଆଇ ଥିବା ଶ୍ରୀମତୀ ଗୋଚ୍ଛାୟତ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ତେବେ ଏ ସଂପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବାକୁ ମନା କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।