ଟି-୨୦ ଇଣ୍ଟରନ୍ୟାସ୍‌ନାଲରେ ସବୁଠୁ ବଡ଼ ସ୍କୋର, ସବୁ ରେକର୍ଡ ଧ୍ୱସ୍ତ କରି ଇତିହାସ ରଚିଲା ଜିମ୍ୱାୱେ

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ: ଟି-୨୦ ଅର୍ନ୍ତଜାତୀୟ କ୍ରିକେଟ୍ ଇତିହାସରେ ଜିମ୍ୱାୱେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ବଡ଼ ବଡ଼ ଟିମ୍ ଯାହା କରିପାରି ନାହାନ୍ତି, ତାହା କରି ଦେଖାଇଛି ଜିମ୍ୱାୱେ । ଟି-୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ ଟିମ୍ ଦ୍ୱାରା ୩୦୦ରୁ ଅଧିକ ରନ୍ କରିବା ଯେକୌଣସି ଟିମ୍ ପାଇଁ ଏକ ସ୍ୱପ୍ନ, କିନ୍ତୁ ଏହାକୁ ବାସ୍ତବ କରି ଦେଖାଇଛି ଜିମ୍ୱାୱେ । ଟି-୨୦ ଅର୍ନ୍ତଜାତୀୟ କ୍ରିକେଟରେ ସବଠୁ ବଡ଼ ସ୍କୋର କରିବାର ରେକର୍ଡ ଜିମ୍ୱାୱେ ନିଜ ନାଁରେ କରିଛି । ଗାମ୍ୱିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଜିମ୍ୱାୱେ ବିସ୍ଫୋରକ ବ୍ୟାଟିଂ କରି କେବଳ ୪ ୱିକେଟ୍ ହରାଇ ୩୪୪ ରନ୍ କରିଛି । 

ଗାମ୍ୱିଆ ବିପକ୍ଷ ମ୍ୟାଚ୍‌ରେ ଜିମ୍ୱାୱେ ପ୍ରଥମେ ବ୍ୟାଟିଂ କରି ୩୪୪ ରନ୍ କରିଛି । ଏହା ପୂର୍ବରୁ ଟି-୨୦ ଇଣ୍ଟରନ୍ୟାସନାଲ୍‌ରେ କେବଳ ଥରେ ହିଁ କୌଣସି ଟିମ୍ ୩୦୦ ରନ୍ ଅତିକ୍ରମ କରିଥିଲା । ୨୦୨୩ ମସିହାରେ ମଙ୍ଗୋଲିଆ ବିପକ୍ଷରେ ନେପାଳ ୩୧୩ ରନ୍ କରିଥିଲା । ଏହା ଏକ ଅତୁଟ ରେକର୍ଡ ହୋଇ ରହିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଜିମ୍ୱାୱେ ଏହି ରେକର୍ଡକୁ ଭାଙ୍ଗି ଦେଇଛି । ଆଜିର ମ୍ୟାଚ୍‌ରେ ଜିମ୍ୱାୱେର ତିନି ଜଣ ବ୍ୟାଟର ଅର୍ଦ୍ଧଶତକ ଏବଂ ଜଣେ ବ୍ୟାଟର ଶତକ ମାରିଛନ୍ତି ।

ଜିମ୍ୱାୱେ ଅଧିନାୟକ ସିକନ୍ଦର ରାଜା କେବଳ ୪୩ ବଲ ଖେଳି ୩୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହ ୧୩୩ ରନ୍ କରିଛନ୍ତି । ସିକନ୍ଦର ରାଜାଙ୍କ ଏହି ଇନିଂସରେ ୧୫ ଛକା ଏବଂ ୭ ଚୌକା ରହିଛି । ସେ ଶେଷ ଯାଏ ଅପରାଜିତ ରହିଥିଲେ । ମାରୁମାନୀ ୬୨ ରନ୍, ବେନେଟ୍ ୫୦ ରନ୍, କାଲିଭ ମାଣ୍ଡାଣ୍ଡେ ୫୫ ରନ୍ କରିଛନ୍ତି । ଆଜିର ମ୍ୟାଚ୍‌ରେ ଜିମ୍ୱାୱେ ଇନିଂସରେ ମୋଟ ୨୭ ଛକା ବାଜିଛି, ଯାହା ଟି-୨୦ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ଏକ ରେକର୍ଡ । ଜିମ୍ୱାୱେ ବ୍ୟାଟର ଗାମ୍ୱିଆର ମୁସା ଯୋବାର୍ଥେଙ୍କ ୪ ଓଭରରେ ୯୩ ରନ୍ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.