ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ନିଜର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବନିମ୍ରତା ସହ ସ୍ୱୀକାର କରୁଛି । ଏହି ବିଜୟ ପାଇଁ ବିଜେପିକୁ ଶୁଭେଚ୍ଛା ଜଣାଉଛି । କେଜ୍ରିୱାଲ ଆହୁରି କହିଛନ୍ତି ଯେ ଆଶା କରୁଛି ଯେ ସେମାନେ ସେହି ସବୁ ପ୍ରତିଶ୍ରୁତିକୁ ପୂରଣ କରିବେ, ଯେଉଁଥି ପାଇଁ ଲୋକେ ତାଙ୍କୁ ଭୋଟ୍ ଦେଇଛନ୍ତି ।
ଅରବିନ୍ଦ କେଜ୍ରିୱାଲ ନିଜ ଭିଡିଓ ବାର୍ତ୍ତାରେ ନିଜ ସରକାରର ଉପଲବ୍ଧି ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆମେ ଗତ ୧୦ ବର୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଉପରେ ଅନେକ କାମ କରିଛୁ । ଆମେ କେବଳ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ତାହା ନୁହେଁ ବରଂ ଲୋକଙ୍କ ମଧ୍ୟରେ ରହିବୁ ଏବଂ ଲୋକଙ୍କ ସେବା କରିବା ଜାରି ରଖିବୁ ।
ଉଲ୍ଲେଖଯୋଗ୍ୟ ଯେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢିଥିବା କେଜ୍ରିୱାଲ ଚଳିତ ଥର ନିଜ ଆସନ ବି ବଞ୍ଚାଇ ପାରିଲେ ନାହିଁ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୪୦୮୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପରଭେଶ ବର୍ମାଙ୍କୁ ୩୦,୦୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୯୯୯ ଖଣ୍ଡ ଭୋଟ୍ ମିଳିଛି ।
ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ ସିଟ୍ ଜିତି ନିଜର ୨୭ ବର୍ଷର ବନବାସ ଶେଷ କରି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ ଆପ୍ ୨୨ ଆସନ ସହ ବିଧାନସଭାରେ ବିରୋଧୀ ଭୂମିକା ଗ୍ରହଣ କରିବାକୁ ଯାଉଛି । ଗତ ତିନି ବିଧାନସଭା ପରି ଚଳିତ ଥର ବି କଂଗ୍ରେସ ନିଜ ଖାତା ଖୋଲିପାରିନାହିଁ ।