ଅଇଁଠା ବାସନ ଏବଂ ଶୌଚାଳୟରେ ସଫେଇ...ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଧାର୍ମିକ ଦଣ୍ଡ ଶୁଣାଇଲା ଅକାଲ୍ ତଖ୍‌ତ

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ଚ୍ରୀ ସୁଖବୀର ସିଂହ ବାଦଲଙ୍କୁ ଅକାଲ୍ ତଖ୍‌ତ ଧାର୍ମିକ ଦଣ୍ଡ ଶୁଣାଇଛି । ଦୁଇ ମାସ ପୂର୍ବେ ଅକାଲ୍ ତଖ୍‌ତ ତାଙ୍କ ତନଖୈୟା (ଧାର୍ମିକ ମାମଲାରେ ଅପରାଧୀ) ଘୋଷଣା କରିଥିଲା । ସୋମବାର ଅକାଲ୍ ତଖ୍‌ତର ଜତ୍ଥେଦାର ଜ୍ଞାନୀ ରଘବୀର ସିଂହ ଦଣ୍ଡ ଶୁଣାଣି ପୂର୍ବତନ ଉପମୁଖ୍ୟନ୍ତ୍ରୀଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ଅଇଁଠା ବାସନ ଏବଂ ଶୌଚାଳୟ ସଫେଇ କରିବା ପାଇଁ ଆଦେଶ ଦେଇଛନ୍ତି । ଏହାସହ ପଞ୍ଚ୍ ସିଂହ ସାହେବଙ୍କ ଘର ବାହାରେ ସକାଳେ ଏକ ଘଣ୍ଟା ସେବା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅକାଲ୍ ତଖ୍‌ତ ଦଣ୍ଡ ଶୁଣାଇ ବାଦଲଙ୍କୁ ପ୍ରତିଦିନ ଗୁରୁଦ୍ୱାରାରେ ସଂକୀର୍ତ୍ତନ ଶୁଣିବା ପାଇଁ ଆଦେଶ ଦେଇଛନ୍ତି ।

ଅକାଳି ଦଳର କାର୍ଯ୍ୟକାଳ ସମୟରେ ସୁଖବୀର ସିଂହ ବାଦଲ ଏବଂ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭୁଲ ରାଜନୈତିକ ନିଷ୍ପତ୍ତି ପାଇଁ ଦୋଷୀ ହୋଇଥିଲେ । ଏଥିରେ ଡେରା ସଚ୍ଚା ସୌଦାର ଗୁରମୀତ ରାମ ରହୀମଙ୍କୁ କ୍ଷମା ପ୍ରଦାନ ଅଭିଯୋଗ ରହିଛି । ସ୍ୱର୍ଣ୍ଣ ମନ୍ଦିରର ପଞ୍ଚ୍ ସିଂହ ସାହିବାନୋ ସାମନାରେ ସୁଖବୀର ସିଂହ ବାଦଲ ନିଜ ଦୋଷ ସ୍ୱୀକାର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସୁଖବୀର ସିଂହ ବାଦଲ କିଛି ଦିନ ପୂର୍ବରୁ ଅକାଳି ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଦଣ୍ଡ ଘୋଷଣା କରି ଜତ୍ଥେଦାର ଜ୍ଞାନୀ ରଘବୀର ସିଂହ ଶିରୋମଣି ଅକାଳି ଦଳକୁ ତିନି ଦିନ ଭିତରେ ତାଙ୍କର ଇସ୍ତଫା ଗ୍ରହଣ ପାଇଁ ଆଦେଶ ଦେଇଛନ୍ତି । ଏହାସହ ପାର୍ଟିର ନୂଆ ଅଧ୍ୟକ୍ଷ ପାଇଁ ଆଗାମୀ ୬ ମାସ ଭିତରେ ନିର୍ବାଚନ କରାଇବାକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୨୦୦୭ ମସିହାରେ ଗୁରମୀତ ରାମ ରହୀମ ଗୁରୁ ଗୋବିନ୍ଦ ସିଂହଙ୍କ ପରି ବେଶଭୂଷା ପିନ୍ଧି ଲୋକଙ୍କୁ ଅମୃତ ଚଖେଇବାକୁ ଉଦ୍ୟମ କରିଥିଲା । ଏହି ମାମଲାରେ ରାମ ରହୀମ ବିରୋଧରେ ମାମଲା ରୁଜୁ ହୋଇଥିଲା, କିନ୍ତୁ ତତ୍କାଳୀନ ଅକାଳି ସରକାର ମାମଲାକୁ ପ୍ରତ୍ୟାହାର କରିନେଇଥିଲା । ରାମ ରହୀମକୁ କ୍ଷମା କରିବା ଅଭିଯୋଗରେ ଅକାଳ ତଖ୍‌ତ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଦିଆଯାଇଥିବା ଫକର-ଏ-କୌମ ଉପାଧୀ ଫେରାଇ ନେଇଛି । 

ସେହିପରି ସୁଖବୀର ସିଂହ ବାଦଲ କୋଟକପୁରରେ ଶାନ୍ତି ପ୍ରଦର୍ଶନ କରୁଥିବା ଶିଖ୍ ଯୁବକଙ୍କ ଉପରେ ଗୁଳି ଚଲାଇବା ପାଇଁ ଅନୁମତି ଦେଇଥିବା ଅଭିଯୋଗ ରହିଛି । ଏହି ଗୁଳିମାଡ଼ରେ ଦୁଇ ଶିଖ୍ ଯୁବକଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହାସହ ଭୋଟ୍ ବ୍ୟାଙ୍କ ପାଇଁ ନିଜ ପନ୍ଥକୁ ଧୋକା ଦେଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି ।

ଏହା ପୂର୍ବରୁ ଅଗଷ୍ଟ ୩୦ରେ ସୁଖବୀର ସିଂହ ବାଦଲଙ୍କୁ ଅକାଲ୍ ତଖ୍‌ତ ଦ୍ୱାରା ତନଖୈୟା ଘୋଷଣା କରାଯାଇଥିଲା । ଅକାଳି ଦଳ ପଞ୍ଜାବରେ କ୍ଷମତାରେ ରହିବା ସମୟରେ ୨୦୦୭ରୁ ୨୦୧୭ ମଧ୍ୟରେ ଭୁଲ ରାଜନୈତିକ ନିଷ୍ପତ୍ତି ନେଇଥିବା ଅକାଲ୍ ତଖ୍‌ତ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.