ସୀମାରେ ବାଂଲାଦେଶ ଯାଉଥିବା ଅଟକିଲା ଶହ ଶହ ଟ୍ରକ୍, ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଲୋକଙ୍କ ବିରୋଧ ପ୍ରଦର୍ଶନ

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା ଏବଂ ଇସ୍କନ ସହ ଜଡ଼ିତ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଭାରତରେ ଆକ୍ରୋଶ ବଢିବାରେ ଲାଗିଛି । ସୋମବାର ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା, ସାଧାରଣ ଲୋକ ଏବଂ ସାଧୁମାନେ ଆନ୍ଦୋଳନ କରିଛନ୍ତି । ସମସ୍ତେ ବାଂଲାଦେଶ ସୀମାରେ ପହଞ୍ଚି ଭାରତରୁ ସାମଗ୍ରୀ ନେଇ ଯାଉଥିବା ସମସ୍ତ ଟ୍ରକକୁ ଅଟକାଇଛନ୍ତି । ଯେଉଁଥି ପାଇଁ ସାରା ଦିନ ବାଂଲାଦେଶ ସହ କାରବାର ପ୍ରଭାବିତ ହୋଇଛି । ହଜାର ହଜାର ଲୋକ ଚିନ୍ମୟ କୃଷ୍ଣ ଦାସଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବା ଦାବିରେ ସୀମାର ପେଟ୍ରୋପୋଲରେ ୨୪ ଘଣ୍ଟା ପାଇଁ ଗାଡ଼ି ଅଟକାଇ ରଖିଛନ୍ତି ।

ଏହି ଅବସରରେ ଶୁଭେନ୍ଦୁ ଅଧିକାରୀ ଚେତାବନୀ ଦେଇ କହିଛନ୍ତି, ଯଦି ଚିନ୍ମୟ କୃଷ୍ଣ ଦାସଙ୍କୁ ମୁକ୍ତ କରାନଯାଏ ତେବେ ପାଞ୍ଚ ଦିନ ପାଇଁ ପେଟ୍ରୋପୋଲରେ ଆର୍ଥିକ ଘେରାବନ୍ଦୀ କରାଯିବ । ଏହାସହ ନୂଆବର୍ଷରୁ ବଡ଼ ଧରଣରେ ଆନ୍ଦୋଳନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ସେ କହିଛନ୍ତି ଯେ ସଂଖ୍ୟାଲଘୁ ସମୁଦାୟଙ୍କ ଉପରେ ନିର୍ଯାତନା, ହିନ୍ଦୁଙ୍କ ଉପରେ ଆକ୍ରମଣ ଏବଂ ବାଂଲାଦେଶରେ ମନ୍ଦିରଗୁଡ଼ିକରେ ଭଙ୍ଗାରୁଜାକୁ ବିରୋଧ କରି ପାଇଁ ଜିରୋ ପଏଣ୍ଟରେ ପହଞ୍ଚିବୁ ।

ବିଜେପି ନେତା କହିଛନ୍ତି ଯେ ଇସ୍କନର ପୂର୍ବତନ ପୂଜାରୀଙ୍କ ମୁକ୍ତି ଲାଗି ଚାପ ପାଇବା ଉଦ୍ଦେଶ୍ୟରେ ଚିନ୍ମୟ କୃଷ୍ଣ ଦାସଙ୍କ ଫଟୋ ଥିବା ବେଲୁନ ଛଡ଼ାଯିବ । ବିଜେପି ନେତା ଏବଂ ପୂର୍ବତନ ସାଂସଦ ଅର୍ଜୁନ ସିଂ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଖିଳ ଭାରତୀୟ ସନ୍ଥ ସମାଜ, ରାଷ୍ଟ୍ରୀୟ ହିନ୍ଦୁ ଜାଗରଣ ମଞ୍ଚ ଏବଂ ଅନେକ ହିନ୍ଦୁ ସଂଗଠନ ତ୍ରିରଙ୍ଗା ଏବଂ ଗେରୁଆ ପତାକା ଧରି ସୀମାରେ ପହଞ୍ଚିଥିଲେ । ସୀମା ସୁରକ୍ଷା ବଳର ଯବାନଙ୍କ ସହ ଜିରୋ ପଏଣ୍ଟରେ ବିରୋଧରେ ପ୍ରଦର୍ଶନ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.