ବହୁତ ହେଇଗଲା ପାକିସ୍ତାନ ସହିତ ମ୍ୟାଚ୍‌ ଆଉ ନୁହେଁ, ବିସିସିଆଇକୁ ପୂର୍ବତନ କ୍ରିକେଟରଙ୍କ କ୍ରୋଧଭରା ନିବେଦନ

Published By : Prameya-News7 Bureau | April 24, 2025 IST

indiatoday

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସବୁ ଭାରତୀୟଙ୍କ ରକ୍ତ ଗରମ। କ୍ରିଡ଼ା ଠାରୁ ଆରମ୍ଭ କରି ସିନେ ଜଗତ ସମସ୍ତେ ଏକ ହୋଇ ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି। ଏବେ ହେଉ କିମ୍ବା ଭବିଷ୍ୟତରେ ପାକିସ୍ତାନ ସହିତ କୌଣସି କ୍ରିକେଟ ନଖେଳିବାକୁ ଦାବି ହୋଇଛି। ଏନେଇ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ବିସିସିଆଇକୁ କ୍ରୋଧଭରା ନିବେଦନ କରିଛନ୍ତି। ପାକିସ୍ତାନ ସହିତ କ୍ରିକେଟ୍‌କୁ ନା କହିବାକୁ ସେ ଅନୁରୋଧ କରିଛନ୍ତି। 

ଏହି ଘଟଣା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି, ଲୋକମାନେ ଜମ୍ମୁ ଓ କାଶ୍ମୀରର ନାଗରିକଙ୍କ ଜୀବନ ସୁରକ୍ଷା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପ୍ରିଲ ୨୨ ତାରିଖରେ ପହଗାମରେ ହୋଇଥିବା ଆତଙ୍କବାଦୀ ଘଟଣାରେ ୨୮ ଜଣଙ୍କର ପ୍ରାଣହାନୀ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂସ ପର୍ଯ୍ୟଟକ ଅଛନ୍ତି। ଯାହା ଭାରତ ସମେତ ସାରା ବିଶ୍ୱତୁ ଆଘାତ ଦେଇଛି। 

ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ କଡ଼ା ଶବ୍ଦରେ ପୋଷ୍ଟ କରି ଘଟଣାର ନିନ୍ଦା କରିଛନ୍ତି। ପୂର୍ବତନ ୱିକେଟକିପର ବ୍ୟାଟସମ୍ୟାନ ବିସିସିଆଇକୁ ପାକିସ୍ତାନ ସହିତ କ୍ରିକେଟ୍ ଖେଳିବା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।  ଆଉ ବ୍ୟାଟ୍ ଏବଂ ବଲ୍ ସହିତ ନୁହେଁ ବରଂ ଦୃଢ଼ ସଂକଳ୍ପ ଏବଂ ମର୍ଯ୍ୟାଦାର ସହିତ ପାକିସ୍ତାନକୁ ଜବାବ ଦେବାକୁ କହିଛନ୍ତି।

ଏନେଇ ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସ ଏକ ଲମ୍ବା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ପାକିସ୍ତାନ ସହିତ କେବେ ବି କ୍ରିକେଟ ଖେଳିବା ଉଚିତ ନୁହେଁ। ପାକିସ୍ତାନ ସହ କ୍ରିକେଟକୁ ନାଁ କୁହ।  ଯେତେବେଳେ ବିସିସିଆଇ କିମ୍ବା ସରକାର ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତକୁ ପଠାଇବାକୁ ମନା କରିଦେଲେ, ସେତେବେଳେ କିଛି ଲୋକ କହିଲେ ଖେଳକୁ ରାଜନୀତିରୁ ଦୂରେଇ ରଖିବା ଉଚିତ। ଓ ସତରେ? ନିର୍ଦ୍ଦୋଷ ଭାରତୀୟଙ୍କୁ ହତ୍ୟା କରିବା ପାକିସ୍ତାନର ଜାତୀୟ ଖେଳ ମନେହୁଏ। ତେଣୁ ସେମାନେ ଯେଉଁ ଭାଷାରେ ବୁଝନ୍ତି ସେହି ଭାଷାରେ ଜବାବ ଦେବାର ସମୟ ସମୟ ଆସିଛି।ବ୍ୟାଟ୍ ଏବଂ ବଲ୍ ସହିତ ନୁହେଁ। ବରଂ ଦୃଢ଼ ସଂକଳ୍ପ ସହିତ। ମର୍ଯ୍ୟାଦାର ସହିତ। ଶୂନ୍ୟ ସହନଶୀଳତା ସହିତ। ଗୋସ୍ୱାମୀ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ କରି ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି “ମୁଁ ଖୁବ୍‌ କ୍ରୋଧିତ। ମୁଁ ଭାଙ୍ଗି ପଡ଼ିଛି। କିଛି ମାସ ପୂର୍ବେ, ଲିଜେଣ୍ଡସ୍ ଲିଗ୍ ପାଇଁ ମୁଁ କାଶ୍ମୀରରେ ଥିଲି। ପହଲଗାମରେ ଚାଲି ଚାଲି ସ୍ଥାନୀୟ ଲୋକଙ୍କୁ ଭେଟୁଥିଲି, ସେମାନଙ୍କ ଆଖିରେ ଆଶା ଫେରି ଆସୁଥିବାର ଦେଖିଲି। ଲାଗୁଥିଲା ଯେମିତି ଏଠି ଶେଷର ଶାନ୍ତି ଫେରିଆସିଛି। ହେଲେ ଏବେ... ଏହି ରକ୍ତପାତ ପୁଣି ଥରେ। ଏହା ଆପଣଙ୍କୁ ଭିତରୁ ଭାଙ୍ଗି ଦିଏ। ଏହା ଆପଣଙ୍କୁ ପ୍ରଶ୍ନ କରିବାକୁ ବାଧ୍ୟ କରେ ଯେ ଆମ ଲୋକମାନେ ମରିଯାଉଥିବା ବେଳେ ଆମେ ଆଉ କେତେ ଥର ନୀରବ ରହିବା ? ଖେଳୁଆଡ଼ ମନୋବୃତ୍ତି ଦେଖାଇବା। ଆଉ ନୁହେଁ। ଏଥର ନୁହେଁ।“ 

ସୂଚନା ଥାଉକି ଭାରତ ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରିକେଟ ଖେଳିବ ନାହିଁ ଗୁରୁବାର ବିସିସିଆଇ ଘୋଷଣା କରି ସାରିଛି। କୂଟନୈତିକ ସ୍ତର ପରେ ଏବେ କ୍ରୀଡ଼ାରେ ବି ପାକିସ୍ତାନ ସହିତ ସମ୍ପର୍କ ଛିନ୍ନ କରିଛି ଭାରତ। ପାକିସ୍ତାନ ସହିତ ଭାରତ କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳିବ ନାହିଁ ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁଳ୍କା ସୂଚନା ଦେଇଛନ୍ତି। ତେବେ କହି ରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଦୀର୍ଘ ୧୦ ବର୍ଷ ହେଲା ଭାରତ ପାକିସ୍ତାନ ସହିତ କୌଣସି ଦ୍ୱିପାଖିକ ମ୍ୟାଚ୍ ଖେଳୁ ନାହିଁ। ତେଣୁ ବିସିସିଆଇ ଉପାଧ୍ୟକ୍ଷଙ୍କର ବର୍ତ୍ତମାନର ଘୋଷଣା କୌଣସି ନୂଆ ନୁହେଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.