ନୂଆଦିଲ୍ଲୀ: କୂଟନୈତିକ ସ୍ତର ପରେ ଏବେ କ୍ରୀଡ଼ା ଜଗତରେ ପାକିସ୍ତାନ ସହିତ ସମ୍ପର୍କ ଛିନ୍ନ କଲା ଭାରତ। ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳିବନି ଇଣ୍ଡିଆ। ଏନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁଳ୍କା ସୂଚନା ଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବିସିସିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନା ଥାଉକି ଏହା ପୂର୍ବରୁ ମଧ୍ୟ ଦୀର୍ଘ ୧୦ ବର୍ଷ ହେଲା ଭାରତ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳୁ ନାହିଁ। ତେଣୁ ବିସିସିଆଇ ଉପାଧ୍ୟକ୍ଷଙ୍କର ବର୍ତ୍ତମାନର ଘୋଷଣା କୌଣସି ନୂଆ ନୁହେଁ।
ବର୍ତ୍ତମାନର ଭାରତୀୟ କ୍ରିକେଟର ଏବଂ ପୂର୍ବତନ ଖେଳାଳିମାନେ ପହଲଗାମ ଆକ୍ରମଣକୁ ନିନ୍ଦା କରିଛନ୍ତି। ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ପାକିସ୍ତାନ ସହିତ କ୍ରିକେଟର ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ବିସିସିଆଇକୁ ନିବଦେନ କରିଛନ୍ତି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସ୍ପୋର୍ଟସ୍ ତକକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପହଲଗାମ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। କ୍ରିକେଟ୍ ବୋର୍ଡ ପୀଡିତଙ୍କ ସହିତ ଛିଡା ହୋଇଛି ବୋଲି ସେ କହିଛନ୍ତି।
ପଢ଼ନ୍ତୁ- ଭାରତ ଆମ ସହ ଜଳ ଯୁଦ୍ଧ ଲଢ଼ୁଛି, ନଦୀର ପ୍ରତ୍ୟେକ ବୁନ୍ଦା ଆମର: ପାକିସ୍ତାନ
ଶ୍ରୀ ଶୁକ୍ଲା କହିଛନ୍ତି “ ଭାରତ ସରକାର ଯାହା କହିବେ ଆମେ କରିବୁ। ସରକାରଙ୍କ ନିଷ୍ପତ୍ତି ଯୋଗୁ ଆମେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜରେ ଖେଳୁ ନାହୁଁ ଏବଂ ଆଗକୁ ମଧ୍ୟ ଦ୍ୱିପାକ୍ଷିକ ମ୍ୟାଚରେ ଖେଳିବୁ ନାହିଁ। କିନ୍ତୁ ଯେତେବେଳେ ଆଇସିସି ଇଭେଣ୍ଟଗୁଡ଼ିକର କଥା ଆସେ, ସେତେବେଳେ ଆମେ ଖେଳୁ। କାରଣ ଏଥିରେ ଆଇସିସିର ସମ୍ପୃକ୍ତି ଥାଏ। ଯାହା ସବୁ ଘଟୁଛି ତାହା ଆଇସିସି ମଧ୍ୟ ଜାଣୁଛି, ତେଣୁ ସେମାନେ ଏ ଦିଗରେ ନିଷ୍ପତ୍ତି ନେବେ।”
ପୂର୍ବତନ ଭାରତୀୟ ୱିକେଟ କିପର ଏବଂ ବ୍ୟାଟର ଶ୍ରୀବତ୍ସ ଗୋସ୍ୱାମୀ ପାକିସ୍ତାନ ସହିତ କ୍ରିକେଟ ନ ଖେଳିବାକୁ ବିସିସିଆଇକୁ ନିବେଦନ କରିଛନ୍ତି। ପହଲଗାମ ଘଟଣାରେ ପାକିସ୍ତାନ ଉପରେ କ୍ରୋଧ ପ୍ରକାଶ କରି ସେ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଏନେଇ ସେ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ପାକିସ୍ତାନ ସହିତ କେବେ ବି କ୍ରିକେଟ ଖେଳିବା ଉଚିତ ନୁହେଁ। ପାକିସ୍ତାନ ସହ କ୍ରିକେଟକୁ ନାଁ କୁହ। ଯେତେବେଳେ ବିସିସିଆଇ କିମ୍ବା ସରକାର ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତକୁ ପଠାଇବାକୁ ମନା କରିଦେଲେ, ସେତବେଳେ କିଛି ଲୋକ କହିଲେ ଖେଳକୁ ରାଜନୀତିରୁ ଦୂରେଇ ରଖିବା ଉଚିତ। ଓ ସତରେ? ନିର୍ଦ୍ଦୋଷ ଭାରତୀୟଙ୍କୁ ହତ୍ୟା କରିବା ପାକିସ୍ତାନର ଜାତୀୟ ଖେଳ ମନେହୁଏ। ତେଣୁ ସେମାନେ ଯେଉଁ ଭାଷାରେ ବୁଝନ୍ତି ସେହି ଭାଷାରେ ଜବାବ ଦେବାର ସମୟ ସମୟ ଆସିଛି।ବ୍ୟାଟ୍ ଏବଂ ବଲ୍ ସହିତ ନୁହେଁ। ବରଂ ଦୃଢ଼ ସଂକଳ୍ପ ସହିତ। ମର୍ଯ୍ୟାଦାର ସହିତ। ଶୂନ୍ୟ ସହନଶୀଳତା ସହିତ। ଗୋସ୍ୱାମୀ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ କରି ଲେଖିଛନ୍ତି।
ପଢନ୍ତୁ- I Will Kill you...ISIS କାଶ୍ମୀରରୁ ଟିମ୍ ଇଣ୍ଡିଆର ହେଡ୍ କୋଚ୍ଙ୍କୁ ହତ୍ୟା ଧମକ
ସେ ଆହୁରି ଲେଖିଛନ୍ତି “ମୁଁ ଖୁବ୍ କ୍ରୋଧିତ। ମୁଁ ଭାଙ୍ଗି ପଡ଼ିଛି। କିଛି ମାସ ପୂର୍ବେ, ଲିଜେଣ୍ଡସ୍ ଲିଗ୍ ପାଇଁ ମୁଁ କାଶ୍ମୀରରେ ଥିଲି। ପହଲଗାମରେ ଚାଲି ଚାଲି ସ୍ଥାନୀୟ ଲୋକଙ୍କୁ ଭେଟୁଥିଲି, ସେମାନଙ୍କ ଆଖିରେ ଆଶା ଫେରି ଆସୁଥିବାର ଦେଖିଲି। ଲାଗୁଥିଲା ଯେମିତି ଏଠି ଶେଷର ଶାନ୍ତି ଫେରିଆସିଛି। ହେଲେ ଏବେ... ଏହି ରକ୍ତପାତ ପୁଣି ଥରେ। ଏହା ଆପଣଙ୍କୁ ଭିତରୁ ଭାଙ୍ଗି ଦିଏ। ଏହା ଆପଣଙ୍କୁ ପ୍ରଶ୍ନ କରିବାକୁ ବାଧ୍ୟ କରେ ଯେ ଆମ ଲୋକମାନେ ମରିଯାଉଥିବା ବେଳେ ଆମେ ଆଉ କେତେ ଥର ନୀରବ ରହିବା ? ଖେଳୁଆଡ଼ ମନୋବୃତ୍ତି ଦେଖାଇବା। ଆଉ ନୁହେଁ। ଏଥର ନୁହେଁ।“
୨୦୧୩ ପରଠାରୁ ଭାରତ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହିଁ
ଭାରତ ପାକିସ୍ତାନ ସହିତ ଦୀର୍ଘ ୧୦ ବର୍ଷ ହେଲା କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳି ନାହିଁ। ଶେଷ ଥର ପାଇଁ ୨୦୧୩ରେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିଥିଲା। ସେବେଠାରୁ, ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବଳ ଆଇସିସି ଇଭେଣ୍ଟଗୁଡ଼ିକରେ ଅନୁଷ୍ଠିତ ହେଉଛି। ସେହିପରି ୨୦୨୪ ଆରମ୍ଭରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଯାତ୍ରା କରିନଥିଲା। ଆଇସିସି ମଧ୍ୟସ୍ଥତାରେ ଭାରତ-ପାକିସ୍ତାନର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା। ଆଉ ଏହି ଗୋଟିଏ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।