‘ICBM ଷ୍ଟ୍ରାଇକ୍ ଉପରେ ଚୁପ୍ ରହିବ...’, ପ୍ରେସ୍ କନଫରେନ୍ସ ବେଳେ ରୁଷ ମୁଖପାତ୍ରଙ୍କୁ ଆସିଲା କ୍ରେମଲିନରୁ ଫୋନ୍

Published By : Prameya-News7 Bureau | November 21, 2024 IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଗୁରୁବାର ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । କିନ୍ତୁ ଆଇସିବିଏମ୍ ଷ୍ଟ୍ରାଇକ୍ ଉପରେ କୌଣସି ଟିପ୍ପଣୀ ନକରିବା ପାଇଁ ରୁଷ ମୁଖପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ମିସାଇଲ୍ ଆକ୍ରମଣ ପରେ ରୁଷ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା । ରୁଷ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିୟା ଜଖାରୋଭ ସମ୍ମିଳନୀକୁ ସମ୍ୱୋଧନ କରୁଥିଲେ । ଠିକ୍ ଏହି ସମୟରେ କ୍ରେମଲିନକୁ ଫୋନ କଲ୍ ଆସିଥିଲା ଏବଂ ଆଇସିବିଏମ୍ ଆକ୍ରମଣ ଉପରେ କିଛି ନକହିବା ପାଇଁ କୁହାଗଲା । ତେବେ ଫୋନ କଲ୍ ସମୟରେ ମାରିୟାଙ୍କ ମାଇକ୍ ଅନ୍ ଥିଲା, ଯେଉଁଥି ପାଇଁ ତାଙ୍କ କଥାବାର୍ତ୍ତା ସାର୍ବଜନୀନ ହୋଇଥିଲା ।

ୟୁକ୍ରେନର ଦିନପ୍ରୋ ସହର ଉପରେ ନଭେମ୍ୱର ୨୧ ସକାଳ ୫ଟାରୁ ୭ ମଧ୍ୟରେ ଆଇସିବିଏମ୍ ମାଡ଼ କରିଥିଲା । ୩୩ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ପ୍ରୟୋଗ କରିଛି । ଅନୁମାନ କରାଯାଉଛି ଯେ ଏହି ଆକ୍ରମଣ ପାଇଁ ରୁଷ RU-26 Rubezh ମିସାଇଲ୍ ବ୍ୟବହାର କରିଛି ।

ୟୁକ୍ରେନ ବାୟୁ ସେନା ଏହି ଆକ୍ରମଣ କଥା ସ୍ପଷ୍ଟ କରିଛି । ଏହାସହ କିଞ୍ଜଲ ହାଇପରସୋନିକ ଏବଂ କେଏଚ୍ ୧୦୧ କ୍ରୁଜ୍ ମିସାଇଲ୍ ମଧ୍ୟ ମାଡ଼ କରାଯାଇଛି । ତେବେ ବଡ଼ କଥା ହେଉଛି ରୁଷ ଏହି ମିସାଇଲରେ କୌଣସି ପରମାଣୁ ହତିଆର ରଖି ନଥିଲା । ଉଲ୍ଲେଖଯୋଗ୍ୟ ଯେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲର ମାରକ କ୍ଷମତା ୧୦୦୦ କିଲୋମିଟର ହୋଇଥାଏ । ପରମାଣୁ ହତିଆର ଆକ୍ରମଣ କରିବା ପାଇଁ ଏହାକୁ ଉପଯୋଗ କରାଯାଇଥାଏ । ଅନ୍ୟପଟେ ରୁଷ ଦାବି କରିଛି ଯେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ରିଟେନର ଦୁଇ ଷ୍ଟର୍ମ ସାଡୋ ମିସାଇଲକୁ ନଷ୍ଟ କରିଛି ।

ଏହା ପୂର୍ବରୁ ରୁଷର ଆଭ୍ୟନ୍ତରୀଣ କ୍ଷେତ୍ରରେ ଆମେରିକା ନିର୍ମିତ ATACMS ଏବଂ ବ୍ରିଟିଶ ନିର୍ମିତ ଷ୍ଟର୍ମ ସାଡୋ ମିସାଇଲକୁ ୟୁକ୍ରେନ ମାଡ଼ କରିଥିଲା । ବଢୁଥିବା ଉତ୍ତେଜନାକୁ ଦେଖି ଆମେରିକା ଏବଂ ୟୁରୋପୀୟ ସଂଘର କିଛି ଦେଶ ବୁଧବାର କିଭ୍‌ରେ ନିଜ ଦୂତାବାସ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ । ପୁଟିନଙ୍କ କଡ଼ା ଚେତାବନୀ ପରେ ଏହି ଦୂତାବାସଗୁଡିକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.